ଧାମନଡଙ୍ଗାରେ ସାମୁହିକ ଭାଇ ଜିଉଁତିଆ ପାଳିତ

  • ଜାତି ଧର୍ମ ନିର୍ବିଶେଷରେ ଏକାଠି କରନ୍ତି ଜିଉଁତିଆ
  • ଏକାଠି ହେଲେ ୨ଟି ପଂଚାୟତର ସହସ୍ରାଧିକ ଝିଅ
  • ଭାଇ ଜିଉତିଆର ମହା ଅନ୍ନପ୍ରସାଦ ଦିନ ଗାଁରେ କାହା ଘରେ ଚୁଳି ଜଳେ ନାହିଁ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଧାମନଡଙ୍ଗା ଓ କରୁଆଁମୁଣ୍ଡା ପଂଚାୟତର ଧାମନଡଙ୍ଗା, କୁଲିଆଦରହ, ବିର୍ଣ୍ଣା, କନ୍ଧବାହାଲ, କରୁଆଁମୁଣ୍ଡା, ରଜାମରା, ଜାମୁଟଝୁଲା, ଅଣ୍ଡାଲପୁରୀ ଗ୍ରାମର ସହସ୍ରାଧିକ ଝିଅ/ମହିଳାମାନେ ସାମୁହିକ ଭାବେ ଭାଇ ଜିଉଁତିଆ ନବମୀ ଦିନ ପାଳନ କରିଛନ୍ତି । ଗତ ୩ ବର୍ଷ ହେଲା ଏହି ସାମୁହିକ ଭାଇ ଜିଉଁତିଆ ପାଳନ କରୁଛନ୍ତି । ସାମୁହିକ ଭାଇଜିଉଁତିଆ ପାଳନରେ ହଜାର ହଜାର ସଂଖ୍ୟାରେ ଝିଅ/ମହିଳାମାନେ ଏକାଠି ଗୋଟିଏ ସ୍ଥାନରେ ପୂଜା ଅର୍ଚ୍ଚନା କରିଛନ୍ତି । ଏପରିକି ଦୁଇଟି ପଂଚାୟତର ସମସ୍ତ ଭାଇମାନେ ଗୋଟିଏ ସ୍ଥାନରେ ଉଭଣୀମାନଙ୍କ ଦ୍ୱାରା ଜିଉଁତିଆ ବାନ୍ଧି ହୋଇଛନ୍ତି । ଏକ ବିଶେଷ ଅନୁସଂଧାନରୁ ଜଣାଯାଏ ଯେ, ଧାମନଡଙ୍ଗା ଓ କରୁଆଁମୁଣ୍ଡା ପଂଚାୟତର ସମସ୍ତ ଝିଅ/ମହିଳା ମାନେ ଗତ ୨୦୨୧ ମସିହାରେ ଏକାଠି ହୋଇ ଭାଉ ଜିଉଁତିଆ ପାଳିବା ପାଇଁ ନିଷ୍ପତି ନେଇଥିଲେ । ସମସ୍ତ ମାତାପିତାଙ୍କ ସହମତିରେ ଏହି ଜିଉଁତିଆ ପର୍ବ ଏକାଠି ପାଳନ କରିବା ପାଇଁ ସ୍ଥିର କରିଥିଲେ । ସେହିଦିନଠାରୁ ୩ ବର୍ଷ ହେଲା ଧାମନଡଙ୍ଗା ଗାଁରେ ଗୋଟିଏ ସ୍ଥାନରେ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଧାମନଡଙ୍ଗାରେ ଏହା ପାଳନ କରିଛନ୍ତି । ଭାଇ ଜିଉଁତିଆ ପାଳନ ମୂଖ୍ୟତଃ ଭଉଣୀମାନେ ନିଜ ନିଜ ଭାଇ ମାନଙ୍କ ମଙ୍ଗଳ କାମନା କରି ଏହି ପର୍ବ ପାଳନ କରନ୍ତି । ସପ୍ତମୀ କିମ୍ବା ଅଷ୍ଟମୀ ଦିନ ଭଉଣୀମାନେ ନିଜର୍ଳା ଉପବାସ କରି ମାଁ ଦୁର୍ଗାଙ୍କ ଜଉଁତିଆ ଗୀତ ଦୁର୍ଗାଙ୍କ ତୈଳ ଚିତ୍ର କିମ୍ବା କାନ୍ଥରେ ଆଙ୍କିତ ଅଥବା ନିଦ୍ଧିଷ୍ଟ ଦୁର୍ଗା ମଣ୍ଡପରେ ଶୁଣିଲା ପରେ ତାର ଆର ଦିନ ମା’ ଦୁର୍ଗାଙ୍କୁ ଭୋଗ ଏବଂ ଜିଉଁତିଆ ଅର୍ପଣ ପରେ ନିଜ ନିଜ ଭାଇର ଶୁଭ କାମନା କରି ଏହି ପର୍ବ ପାଳନ କରିଥାନ୍ତି । ଧାମନଡଙ୍ଗାରେ ସାମୁହିକ ଭାଉ ଜିଉଁତିଆ ପାଳନ କରିବାର ଏକ ବିଶେତ୍ୱ ହେଲା ଯେଉଁ ଭାଇ ମାନଙ୍କର ନିଜ ଉଭଣୀ ନାହିଁ ସେମାନେ ସାମୁହିକ ଭାଇ ଜିଉଁତିଆ ପାଳନରେ ସାମିଲ ହୋଇ ଜିଉଁତିଆ ପିନ୍ଧିଥାନ୍ତି । ଏପରିକି ସମସ୍ତ ଜିଉଁତିଆ ପାଳନ କରୁଥିବା ଝିଅ/ମହିଳାମାନେ ସମସ୍ତ ପୁରୁଷ/ପୁଅପିଲା ମାନଙ୍କୁ ଜିଉଁତିଆ ପିନ୍ଧାଇଥାନ୍ତି । ପୁଣି କଂଟାବାଂଜି- ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ୪୨ରେ ଯାତାୟତ କରୁଥିବା ପୁରୁଷ/ପୁଅପିଲା ମାନଙ୍କୁ ପିନ୍ଧାଇଥାନ୍ତି । ସମସ୍ତ ଗାଡି ମଟରରେ ଯାତାୟତ କରୁଥିବାଙ୍କୁ ଜିଉଁତିଆ ପିନ୍ଧାଇଥାନ୍ତି । ଜିଉଁତିଆ ଦିନ ଅନ୍ନ ମହାପ୍ରସାଦ ଲାଗିଥାଏ । ସମସ୍ତ ଗ୍ରାମରୁ ଏବଂ ରାଜ୍ୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହାନର ଲୋକଙ୍କୁ ପେଟପୁରା ଅନ୍ନ ମହାପ୍ରସାଦ ଖୁଆଇ ସେମାନଙ୍କୁ ବିଦାୟ ଦିଅନ୍ତି । ଏହି ପରମ୍ପରା ଗତ ୩ ବର୍ଷ ହେଲା ଦୁଇ ପଂଚାୟତର ସମସ୍ତ ଜାତି ଧର୍ମ ନିର୍ବିଶେଷରେ ଏକାଠି ପାଳନ କରୁଥିବାରୁ ଦୁଇ ପଂଚାୟତରେ ବସବାସ କରୁଥିବା ସମସ୍ତ ଝିଅ/ମହିଳା ଏବଂ ଜନସାଧାରଣଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ ପାରିଛି । ଏପରିକି ମହା ଅନ୍ନପ୍ରସାଦ ସେବନରେ ଦୁଇ ପଂଚାୟତର ହଜାର ହଜାର ଲୋକେ ସାମିଲ ହୋଇଥାନ୍ତି । ଏହି ଅନ୍ନ ମହା ପ୍ରସାଦ ଦିନ ଗାଁରେ କୌଣସି ଘରେ ଚୁଲି ଜଳେ ନାହିଁ । ସାମୁହିକ ଭାଇଜିଉଁତିଆ ପାଳନରେ ଗ୍ରାମର ଉମାକାନ୍ତି ମାଝି, ଜୟନ୍ତୀ ମାଝି, ତେଜସ୍ୱିନୀ ରଣା, ରଶ୍ମିତା ରଣା, ମୁକ୍ତା ପରାଭୁଏ, ଯଶୋବନ୍ତି ବେହେରା, ଫୁଲମତି ବେହେରାଙ୍କ ପ୍ରଚେଷ୍ଟା ସହିତ ସତ୍ୟନାରାୟଣ ଅଗୱାଲ, ଗୁପ୍ତେଶ୍ୱର ଚନ୍ଦନ, ଦିନେଶ ମହାନନ୍ଦ, କାହ୍ନୁ ଚରଣ ମିଶ୍ର ସହ ଦୁଇ ପଂଚାୟତର ସମସ୍ତ ଜନସାଧାରଣ ସଂପୂର୍ଣ୍ଣ ରୂପେ ସହଯୋଗ କରନ୍ତି ।

Leave A Reply

Your email address will not be published.