- ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଂଗଠିତ ହେବା ପାଇଁ ଆହ୍ୱାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଜାମଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ବୁଢୀସିଣ୍ଢୋଲ ଗ୍ରାମରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଏସ୍ସି ସେଲ ସଭାପତି ଓମ୍ ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱ ଓ ବିଗତ ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଭ୍ରାଂଶୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଥମ ବୁଢୀସିଣ୍ଢୋଲ ଗାଁ ମୁଣ୍ଡରୁ ଆଖ ପାଖ ଅଂଚଳରୁ ଆସିଥିବା ଶତାଧିକ ମହିଳା ଓ ପୁରୁଷଙ୍କ ସହ ବିଶାଳ ଶୋଭାଯାତ୍ରାରେ ବାଜା ଓ ରୋଶଣି ସହ ଗାଁ ପରିକ୍ରମା କରି ଗାଁର ଘରକୁ ଘର ବୁଲି ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ ଦୁର୍ନୀତି ଏବଂ ଜନମାରଣ ନୀତି ବିରୁଦ୍ଧରେ ତଥା କଂଗ୍ରେସ ଅମଳରେ ହୋଇଥିବା ବିକାଶ ଓ ଲୋକାଭିମୁଖି ଯୋଜନା ବିଷୟରେ ଅବଗତ କରିବା ସଙ୍ଗେ ସଙ୍ଗେ ପ୍ରଚାରପତ୍ର ବଣ୍ଟନ କରିଥିଲେ । ଗାଁ ପରିକ୍ରମା ପରେ ଗାଁ ଦାଣ୍ଡରେ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଅଂଚଳର ବହୁ ପ୍ରତିକ୍ଷିତ ଜାମଗାଁରୁ ବୁଢୀସିଣ୍ଢୋଲ ରାସ୍ତା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଉଦ୍ୟମରେ ନୂତନ ନିର୍ମାଣ ହେବାକୁ ଯାଉଥିବାରୁ ସମବେତ ଜନତା ବିଧାୟକ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଜିଲ୍ଲା କୃଷକ ସେଲ ସଭାପତି ସାନନ୍ଦ ମିଶ୍ର, ଦଳିତ ନେତା ତଥା ପୁଇଁନ୍ତଲା ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଜ୍ୟୋତିଷ ମୁଗ୍ରୀ, ଜାମଗାଁ ସରପଂଚ ପୁରୁଷୋତ୍ତମ କମ୍ପ, ଲୋଇସିଂହା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବୁଲୁ ଦାନି, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁ, ଲଳିତ ପଟେଲ, ବଜରଂଗ ଅମାତ, ଦଳିତ ନେତା ବ୍ରଜ ବିହାରୀ ନାଗ, ରାମବୁଢା ଗାଇଗରିଆ ପ୍ରମୁଖ ମଂଚାସୀନ ଥିଲେ । ଶ୍ରୀ କୁମ୍ଭାର ନିଜ ବକ୍ତବ୍ୟରେ ତୃଣମୂଳ ସ୍ତରରେ ସଂଗଠିତ ହୋଇ କଂଗ୍ରେସ ଦଳ କିପରି ତାର ହୃଦ ଗୌରବ ଫେରି ପାଇବ ସେ ଦିଗରେ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ । ଏହି ସଭାରେ ରମେଶ ଗାଇଗରିଆ, ଲୋପନ ମିଶ୍ର, କିଶୋର, ଆନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।