- ମୁଖ୍ୟମନ୍ତ୍ରୀ ଓ କଳିକେଶଙ୍କୁ କୃତଜ୍ଞତା ଜଣାଇଲେ ପୌରାଧ୍ୟକ୍ଷା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ପୃଥ୍ୱୀରାଜ ହାଇସ୍କୁଲର ଖେଳ ପଡିଆରେ ଏକ ଉନ୍ନତମାନର ଫୁଟ୍ବଲ୍ ପଡିଆ ନିର୍ମାଣ କରିବାକୁ ରାଜ୍ୟ ସରକାର ୧ କୋଟି ୧୭ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏହି ଅନୁଦାନ ଆସିବାରେ ସହାୟତା କରିଥିବା ପୂର୍ବତନ ସାଂସଦ କଳିକେଶନାରାୟଣ ସିଂହଦେଓଙ୍କୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି । ଏହି ଅନୁଦାନ ରାଶି ମଞ୍ଜୁର ହୋଇଥିବାର ସୂଚନା ମିଳିବା ପରେ ଆଜି ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପିଆର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ବରିଷ୍ଠ ଶିକ୍ଷକ ବିକାଶ ସାହୁ ପିଆର ହାଇସ୍କୁଲ ଖେଳପଡିଆକୁ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । କିଭଳି ଅନୁଦାନରେ ଶୀଘ୍ର କାମ ଆରମ୍ଭ କରାଯାଇ ଏଠାରେ ଛାତ୍ରଙ୍କ ପାଇଁ ଖେଳିବାର ସୁଯୋଗ ସୃଷ୍ଟି କରାଯାଇ ପାରିବ ସେନେଇ ଆଲୋଚନା କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ସ୍କୁଲସ୍ତରୀୟ ଅନେକ ଖେଳ ଅନୁଷ୍ଠିତ ହେଉଥିଲା । କିନ୍ତୁ କିଛି ବର୍ଷ ଏହା ଅବହେଳିତ ହୋଇ ପଡିରହିଥିଲା । କିନ୍ତୁ ଗତ ତିନି ବର୍ଷ ତଳେ ରାଜ୍ୟ ସରକାର ୨.୫କୋଟି ଟଙ୍କା ବ୍ୟୟରେ ଖେଳପଡିଆର ସିମେଣ୍ଟବାଡ, ଗ୍ୟାଲେରୀ ଇତ୍ୟାଦି ନିର୍ମାଣ କରାଇଛନ୍ତି । କିନ୍ତୁ ଖେଳପଡିଆର ଡ୍ରେନ ଓ ପଡିଆର ବିକାଶ କରାଯାଇ ନଥିବାରୁ ଛାତ୍ରଛାତ୍ରୀଙ୍କ ଖେଳିବାରେ ଅସୁବିଧା ହେଉଛି । ବର୍ଷା ଦିନରେ ପଡିଆ ଭିତରେ ପାଣି ଜମି ରହୁଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସାନ୍ତୋଷ ଦେଖାଦେଇଥିଲା । ତେଣୁ ରାଜ୍ୟ ସରକାର ଏହି ଖେଳପଡିଆର ବିକାଶ ପାଇଁ ଅଧିକ ଅନୁଦାନ ଦେଇ କାମକୁ ସଂପୂର୍ଣ୍ଣ କରାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଏବେ ରାଜ୍ୟ ସରକାର ୧ କୋଟି ୧୭ ଲକ୍ଷ ଟଙ୍କାର ଅନୁଦାନକୁ ମଞ୍ଜୁର କରାଇଛନ୍ତି । ଏହି ଅନୁଦାନରେ ବଲାଙ୍ଗିର ପୂର୍ତ୍ତବିଭାଗ ଖେଳପଡିଆରେ ଜଳ ନିସ୍କାସନ ପାଇଁ ଡ୍ରେନ ଓ ଘାସଗାଲିଚା ନିର୍ମାଣ କରାଇବ । ଏକ ଉନ୍ନତ ଫୁଟ୍ବଲ୍ ପଡିଆ ଭାବରେ ଏହାକୁ ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ପିଆର ହାଇସ୍କୁଲ ଖେଳ ପଡିଆର ଅଧା ଜମିରେ ଗେଲ ପକ୍ଷରୁ ଏକ ଉନ୍ନତ ବେଡମିଣ୍ଟନ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି । ଏବେ ଫୁଟ୍ବଲ୍ ପଡିଆ ଓ ଆଗକୁ ଓପନ୍ଜିମ୍, ସ୍ୱିମିଂପୁଲ୍ ଇତ୍ୟାଦି ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ୮ ନମ୍ବର ୱାର୍ଡର କାଉନସିଲର, ବରିଷ୍ଠ କାଉନସିଲର ତଥା ବିଜେଡିନଗର ସଭାପତି ଶମ୍ଭୁ ନାଗ, ଛାତ୍ରନେତା ସୁମନ ନନ୍ଦ, ଗୁଞ୍ଜ ଖାନ, ପାଣ୍ଡବ କୁମ୍ଭାର, ଆଇଟି ସେଲର ବିଭୁତିଭୂଷଣ ମିଶ୍ର, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।