ଡେଲାଙ୍ଗରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ । ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ୱୟ । ଏହି ସମନ୍ୱୟରେ ଗାଁ ଗାଁରେ ଆସିବ ସମୃଦ୍ଧି । ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ୱ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । works hub ହେବ । ବ୍ୟାଙ୍କିଙ୍ଗ ସୁବିଧା ମିଳିବ । ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟ ଗୁଡିକ ମଧ୍ୟ ସାମିଲ ହେବ । ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ଶକ୍ତ ହେବ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବା ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାନ୍ତରରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୫ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ସମୀର ରଞ୍ଜନ ଦାଶ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ । ନୟାଗଡ ଜିଲ୍ଲା କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରମେଶଚନ୍ଦ୍ର ବେହେରା ଓ ଡଃ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ, ବ୍ଲକଅଧ୍ୟକ୍ଷ ଓ ସରପଞ୍ଚମାନେ ଯୋଗଦେଇ ମତାମତ ରଖିଥିଲେ । ୫ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ୱରାନ୍ୱିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ । ତାଙ୍କ ଗସ୍ତପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ଶ୍ରୀ ଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପ, ତାଳଦଣ୍ଡା କେନାଲ ଆଦି ପ୍ରମୁଖ ରୂପାନ୍ତର କାର୍ଯ୍ୟକ୍ରମର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି ୫ଟି ସଚିବ ମତ ଦେଇଥିଲେ । ଏହାକୁ ସମସ୍ତେ ସ୍ୱଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡେଲାଙ୍ଗ ବ୍ଲକ ପକ୍ଷରୁ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ବିଡ଼ିଓ ଲାବଣ୍ୟେନ୍ଦୁ ମହାନ୍ତି, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ, ପ୍ରଜ୍ଞା ଛୋଟରାୟ, ମଳୟ ମହାନ୍ତି, ସମବାୟବିତ ବୈରାଗୀ ଜେନା, ଚିତ୍ରସେନ ନିଶଙ୍କ, ସୁଦୀପ୍ତ ନାୟକ, ଆତ୍ମା ଅଧ୍ୟକ୍ଷା ମିନତୀ ସେନାପତି, ସହକାରୀ ନିର୍ବାହ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ଚିତ୍ରୋତ୍ପଳା ନାୟକ, ଜିପିଓ ରତିକାନ୍ତ ସାହୁଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ସରପଞ୍ଚ, ସମିତିସଭ୍ୟ ଏବଂ ୨୧ ଟି ପଞ୍ଚାୟତର ମିଶନ ଶକ୍ତି ମହିଳାମାନେ ଯୋଗଦେଇ ଭିସି ଜରିଆରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ଡେଲାଙ୍ଗ ବ୍ଲକରେ ମୋଟ ୨୩କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଅରାଗଡ଼ର ଐତିହ୍ୟ ବୌଦ୍ଧ କୀର୍ତିରାଜୀର ଉନ୍ନତିକରଣ ପାଇଁ ୧କୋଟି ଟଙ୍କା ମଂଜୁର ହୋଇଥିବା ୫ଟି ସଚିବ ଭି କେ ପାଣ୍ଡିଆନ ଘୋଷଣା କରିଥିଲେ । ଡେଲାଙ୍ଗ ବ୍ଲକପକ୍ଷରୁ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଭି ସି ଜରିଆରେ ଅଭିଭାଷଣ ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ, ଆଦ୍ୟାଶ୍ରୀ ଦିବ୍ୟ ଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଡେଲାଙ୍ଗ ଥାନା ଅଧିକାରୀ ଦେବାଶିଷ ମହାନ୍ତି ସଦଳବଳ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ନିର୍ବାହ କରିଥିଲେ । ପରିଶେଷରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.