କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ପ୍ରତିରୋଧ ସଚେତନତା କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଦେବଦତ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସିଭିଲ ଜଜ୍‌ ସିନିଅର ଡିଭିଜନ ଶ୍ରୀମତୀ ସୋମାଲିମା ମିଶ୍ର, ଏସ୍‌.ଡି.ଜେ.ମ୍. ଅମିତ କୁମାର, ଜେ.ମ୍.ଏଫ୍‌.ସି. ସନ୍ଧ୍ୟା ସୁଚରିତା, ତାଲୁକ କମିଟୀର ସଦସ୍ୟା ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ ପ୍ରମୁଖ ଗଣ୍ୟମାନ୍ୟ ଅତିଥି ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଯୌନ ନିର୍ଯାତନା ଅଧିନିୟମ (POSH Act) ଉପରେ ଆଲୋକପାତ କରାଯାଇଥିଲା । ଏହା ଭାରତର ସମ୍ବିଧାନର ଧାରା ୧୪, ୧୫ ଅନୁଯାୟୀ ମହିଳାଙ୍କ ସମାନତାର ମୌଳିକ ଅଧିକାର ଓ ଧାରା ୨୧ ଅନୁଯାୟୀ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାରର ଉଲଂଘନକୁ ରୋକିଥାଏ । ଏହି ପୋଷ ଅଧିନିୟମ ଅନୁଯାୟୀ ପ୍ରତ୍ୟେକ ସରକାରୀ ଓ ବେସରକାରୀ ନିଯୁକ୍ତିଦାତା ନିଜ ଅନୁଷ୍ଠାନରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାର ଆଇନଗତ ଆବଶ୍ୟକତା ରହିଛି । ଏହି ନିୟମ ନିଶ୍ଚିତ କରିବ ଯେ, ମହିଳାମାନେ ସର୍ବସଧାରଣ କିମ୍ବା ବେସରକାରୀ ସ୍ଥାନରେ ସମସ୍ତ କାର୍ଯ୍ୟ ସ୍ଥାନରେ ଯୌନ ଉତ୍ପୀଡ଼ନରୁ ସୁରକ୍ଷିତ ରହିବେ । ଲିଙ୍ଗଗତ ସମାନତା, ଜୀବନ ଏବଂ କାର୍ଯ୍ୟକ୍ଷେତ୍ରରେ ସମାନତା ପାଇଁ ସେମାନଙ୍କର ଅଧିକାର ହାସଲ କରିବାରେ ଏହା ସହାୟକ ହେବ । କର୍ମକ୍ଷେତ୍ରରେ ନିରାପତ୍ତା ଭାବନା ମହିଳାଙ୍କ କାର୍ଯ୍ୟରେ ଅଂଶଗ୍ରହଣକୁ ଉନ୍ନତ କରିବ । ଫଳସ୍ୱରୂପ ସେମାନଙ୍କର ଅର୍ଥନୈତିକ ଶସକ୍ତିକରଣ ଏବଂ ଅଭିବୃଦ୍ଧି ହେବ, ଯାହାକି ଏକ ସୁସ୍ଥ ରାଷ୍ଟ୍ର ଗଠନରେ ସହାୟକ ହେବ ବୋଲି ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଓ ଉପଜିଲ୍ଲାପାଳ ଏବଂ ସମସ୍ତ ଅତିଥି ବୃନ୍ଦ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଳକା ମଞ୍ଜରୀ ପଟ୍ଟନାୟକ ସଂଯୋଜନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପୋଷ ଆକ୍ଟ ଉପରେ ଆଧାରିତ ଭଞ୍ଜନଗର ଲିଗାଲ ସର୍ଭିସ କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଜଣେଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡର ସି.ଡି.ପି.ଓ ମାନେ ତଥା ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ, ବାର୍ଡ ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ସମସ୍ତ ସାମ୍ବାଦିକଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.