● ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ଶୋକ ଓ ସମବେଦନା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
● ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି
● ଭାରତ ଦୃଢ଼ ଏବଂ ସ୍ପଷ୍ଟ ଭାବେ ଆତଙ୍କବାଦକୁ ନିନ୍ଦା କରୁଛି ବୋଲି ଦୋହରାଇଲେ ପ୍ରଧାନମନ୍ତ୍ରୀ
● ଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଠାରୁ ଫୋନ୍ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି ।
ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ପ୍ରକଟ କରିଛନ୍ତି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି । ଭାରତ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ଏବଂ ସ୍ପଷ୍ଟ ରୂପରେ ନିନ୍ଦା କରିଥାଏ ବୋଲି ସେ ଦୋହରାଇଥିଲେ ।
ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍ ଦେଇଥିଲେ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ ।
ଦୁଇ ନେତା ପରସ୍ପର ସହ କଥାବାର୍ତ୍ତା ଜାରି ରଖିବେ ବୋଲି ସହମତ ହୋଇଥିଲେ ।