ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଅବକାରୀ ବିଭାଗର ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ବଲାଙ୍ଗିର ଟାଉନ ସଦର, ପୁଇଁତଲା, ଲୋଇସିଂହା ଥାନା ଅଂଚଳରେ ଚଢ଼ାଉ କରାଯାଇଥିବା ବେଳେ ୪ଜଣଙ୍କୁ ଗିରଫ୍ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଲୋଇସିଂହା ଥାନା ଅଧୀନସ୍ଥ ବଘାପାଲି, ବଲାଙ୍ଗିର ଟାଉନ ଥାନା ଅଧୀନସ୍ଥ ବିଭୂତିପଡ଼ା, ପୁଇଁତଲା ଥାନା ଅନ୍ତର୍ଗତ ପୁଇଁତଲା ଓ ସଦର ଥାନା ଅନ୍ତର୍ଗତ ଚୋରମରାରେ ଚଢ଼ଉ କରାଯାଇଥିବା ବେଳେ ବେଆଇନ ଦେଶୀ ମଦ କାରବାରରେ ୪ଟି ମାମଲା ରୁଜ୍ଜୁ ହୋଇଥିବା ଜଣାପଡ଼ିଛି । ଏଥିରେ ୩ଜଣଙ୍କୁ ଗିରଫ୍ କରାଯାଇଥିବା କୁହାଯାଇଛି । ସଦର ଥାନା ଅନ୍ତର୍ଗତ ଚୋରମରାରେ ବେଆଇନ ଦେଶୀ ମଦ ରନ୍ଧା ସ୍ଥଳ ଉପରେ ଚଢ଼ାଉ କରାଯାଇ ସମସ୍ତ ସାମଗ୍ରୀ ନଷ୍ଟ କରାଯାଇଛି । ସମୁଦାୟ ୫୦୫ ଲିଟର ଦେଶୀ ମଦ ଏବଂ ୪୮୦୦ ଲିଟର ମହୁଲ ପୋଚ ଜବତ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗିର ଅବକାରୀ ୟୁନିଟ୍ ପକ୍ଷରୁ ଆଉ ଦୁଇଟି ମାମଲାରେ ବଲାଙ୍ଗିର ସଦର ଥାନା ଅଧୀନସ୍ଥ ମିର୍ଦ୍ଧାପାଲି ଓ ଚୋରମରାରେ ଚଢ଼ାଉ କରାଯାଇ ୧୭୮ ଲିଟର ଦେଶୀ ମଦ ସହ ୭୦୦ ଲିଟର ମହୁଲ ପୋଚ ଜବତ୍ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ଏହିସବୁ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ପୁଇଁତଲାର ସୈରେନ୍ଦ୍ରୀ ଭୋଇ, ବଲାଙ୍ଗିର ସହର ବିଭୂତିପଡ଼ାର କୁନୁ ମେହେର, ସଦର୍ଥାନା ଅଧୀନସ୍ଥ ବଘାପାଲିର କରୁଣାକର ବେହେରା ଓ ମିର୍ଦ୍ଧାପାଲିର ନିରଂଜନ ନାଏକ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।