କୂଅରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁ ମୁଣ୍ଡ କୂଅରୁ ଜଣେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ । ଗତ ରବିବାର ଦିନ ଗାଁର ନିରୱେଲ କୁମ୍ଭାର ଓ ସୁକାନ୍ତଙ୍କ ଭିତରେ କୌଣସି କାରଣରୁ ଝଗଡା ହୋଇଥିବା କୁହାଯାଇଛି । ତା’ପରେ ଆଉ ଘରକୁ ଫେରିନଥିଲେ ନିରୱେଲ । ଘର ଲୋକେ ବହୁ ଖୋଜାଖୋଜି କଲା ପରେ ବି ନିରୱେଲଙ୍କ ଖୋଜ୍‌ ଖବର୍‌ ପାଇନଥିଲେ । ଏହାପରେ ତାଙ୍କ ପରିବାର ଲୋକେ ନିରେୱଲ ନିଖୋଜ ଥିବା ନେଇ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ଏକ କୂଅରେ ନିରୱେଲଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ପୁଇଁତଲା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲା । ନିରୱେଲଙ୍କ ସାର୍ଟରେ ରକ୍ତର ଛିଟା ଥିବା ବେଳେ ନାକ କାନରେ ଆଘାତ ଲାଗିଥିବା ଜଣାପଡ଼ିଛି । ତେଣୁ ନିରୱେଲକୁ ହତ୍ୟା ପରେ କୂଅରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!