oom

ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ ୨୦୨୩ରେ ଅଶ୍ୱିନୀ ରଥ ବିଚାରକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟେମେନ୍‌ ସ୍ଥିତ ‘ଦ ମିଡିଆ ମେକର୍‌ସ୍‌ ଟିମ୍‌’ ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ‘ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ୍‌ ୨୦୨୩’ରେ ଓଡିଶାର ଲବ୍ଧ ପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ ରଥ ବିଚାରକ ମଣ୍ଡଳୀର ଜଣେ ସମ୍ମାନନୀୟ ସଦସ୍ୟ ଭାବରେ ଦାୟିତ୍ୱ ସମ୍ପାଦନ କରି ସମଗ୍ର ଓଡିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ସିରିଆର ପ୍ରତିଷ୍ଠିତ କାର୍ଟୁନିଷ୍ଠ ରାଏଦ ଖଲିଲଙ୍କ ସଂଯୋଜନାରେ ଗଠିତ ଏହି ଜୁରୀ ମଣ୍ଡଳୀରେ ଶ୍ରୀ ରଥଙ୍କ ଭିନ୍ନ ଭିକ୍ଟର୍‌ ଇଉଜେନ୍‌ ମିହାଇ ଭେମ୍‌ (ରୋମାନିଆ), ଓମାର୍‌ ସେଦ୍ଦେକ୍‌ ମୋସ୍ଥାଫା (ଇଜିପ୍ଟ) ଏବଂ ସାମେର୍‌ ସୌମାଇରି (ୟେମେନ୍‌) ମଧ୍ୟ ବିଚାରକ ଭାବରେ ନିଜ ନିଜ ଦାୟିତ୍ୱର ସୁନିର୍ବାହନ କରିଥିଲେ ତଥା ସେଠାକାର ଫୈଜଲ୍‌ ଅଲ୍ନାଜର୍‌ ପ୍ରତିଯୋଗିତାର ଡାଇରେକ୍ଟର ଭାବରେ ଏହାକୁ ପରିଚାଳନା କରିଥିଲେ । ‘ଦ ଇନ୍‌ଜସ୍‌ଟିସ୍‌’ ବିଷୟବସ୍ତୁ ଉପରେ ଆଧାରିତ ଏ ପ୍ରତିଯୋଗିତାଟିରେ ୪୫ଟି ଦେଶର ୨୧୧ ଜଣ ପ୍ରତିଯୋଗୀଙ୍କ ସର୍ବମୋଟ ୫୪୪ଟି ବ୍ୟଙ୍ଗଚିତ୍ର ହସ୍ତଗତ ହୋଇଥିଲା । ଏହି ଆର୍ନ୍ତଜାତିକ ପ୍ରତିଯୋଗିତାରେ ୟାଙ୍ଗ୍‌ ଲିଜି (ଚୀନ) ପ୍ରଥମ ସ୍ଥାନ ସହ ଗୋଲ୍‌ଡେନ ଜାମ୍ବିଆ, ଆଇଗୋର୍‌ ସ୍ମିର୍‌ନୋଭ୍‌ (ରୁଷିଆ) ଦ୍ୱିତୀୟ ସ୍ଥାନ ସହ ସିଲ୍‌ଭର୍‌ ଜାମ୍ବିଆ ଏବଂ ୟାଲ୍‌ଦା ହାସେମିନେଜାଦ୍‌ (ଇରାନ) ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ଜାମ୍ବିଆ ଲାଭ କରିଥିଲେ । ଏହାସହ ସ୍ଲୋବେଦାନ ବୁଟିର (କ୍ରୋଏସିଆ), ଲି ଜିଆଓୟାଙ୍ଗ୍‌ (ଚୀନ), ଇଜାବେଲା କାୱାଲସ୍କା (ପୋଲାଣ୍ଡ), ହୋସେନ୍‌ ନାଘିବ୍‌ (ଇରାନ୍‌) ଓ ହମିଦ ସୌଫି (ଇରାନ୍‌) ବିଶେଷ ପୁରସ୍କାର ଲାଭ କରିଥିଲେ । ଆହୁରି ମଧ୍ୟ ଦଶଟି ସମ୍ମାନ ଜନକ ପୁରସ୍କାରର ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଓଡିଶାର ଭ୍ରାତୃଦ୍ୱୟ ‘ଅଶ୍ୱିନୀ-ଅବନୀ’ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ । ପ୍ରକାଶଯୋଗ୍ୟ ଯେ, ନିକଟ ଅତୀତରେ ଇଜିପ୍‌ଟର କାଇରୋଠାରେ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ’ ଇଂଟରନେସେନାଲ୍‌ ଏକ୍‌ଜିବିସନ୍‌ରେ ଏମାନଙ୍କ ଏକ କୃତି ସ୍ଥାନ ପାଇଥିଲା ।

jittmm
Leave A Reply

Your email address will not be published.