ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଉଦଘାଟିତ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୧୩/୦୯/୨୦୨୩ ଗାନ୍ଧୀ ନଗର ସ୍ଥିତ ରାଜଭବନରୁ ଆଭାସୀ ମାଧ୍ୟମରେ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଆୟୁଷ୍ମାନ ଭବ’ ଅଭିଯାନର ଲକ୍ଷ୍ୟ ହେଛଛି କୌଣସି ବ୍ୟକ୍ତି ବା ଗ୍ରାମ ପଛରେ ପଡ଼ିବା ଅନୁଚିତ । ତା’ହେଲେ ଯାଇ ଆମ ଦେଶରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ସଫଳ ହୋଇପାରିବ । ଯଦି ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ସୁସ୍ଥ ରହନ୍ତି, ତେବେ ଯାଇ ଏକ ସୁସ୍ଥ ଭାରତ ଗଠନ ସଂକଳ୍ପ ପୂରଣ ହେବ ବୋଲି ସେ କହିଛନ୍ତି । ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବହୁ ମନ୍ତ୍ରୀମଣ୍ଡଳସ୍ତରୀୟ ପଦ୍ଧତି ଗ୍ରହଣ କରାଯାଇ ଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ । ଏଭଳି ବିରାଟ ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ ।
ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରିବା ପାଇଁ ଆୟୁଷ୍ମାନ ସଭା, ସ୍ବାସ୍ଥ୍ୟ ରକ୍ଷା ଓ ପୌଷ୍ଟିକତା, ଆୟୁଷ୍ମାନ ମେଳାର ଆୟୋଜନ ଏବଂ ସପ୍ତାହକୁ ଥରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଶେଷଜ୍ଞ ଡାକ୍ତରଙ୍କ ପରିଦର୍ଶନ ଆୟୋଜନ ଭଳି ଆୟୁଷ୍ମାନ ଆପକେ ଦ୍ବାର ୩.୦ର ପଦକ୍ଷେପ ବେଶ୍ ପ୍ରଶଂସା ଯୋଗ୍ୟ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ ଭାରତ ନୂଆ ନୂଆ ପ୍ରଯୁକ୍ତି ଓ କାର୍ଯ୍ୟ ପଦ୍ଧତି ଜରିଆରେ ବିପୁଳ ଉତ୍ସାହର ସହ ଅନେକ କ୍ଷେତ୍ରରେ ଏଠାରେ ଆଗେଇ ଚାଲିଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସେପ୍ଟେମ୍ବର ୨୦୨୧ରେ ଆରମ୍ଭ କରାଯାଇଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ । ଅନ୍ୟାନ୍ୟ କ୍ଷେତ୍ର ଭଳି ଭାରତ ସ୍ବାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଡିଜିଟାଲ ପଦ୍ଧତି ଅନ୍ତର୍ଭୁକ୍ତ କରି ଏକ ଦୃଷ୍ଟାନ୍ତ ରଖିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରତି ଗ୍ରାମ ଓ ସହରରେ ପର୍ଯ୍ୟାପ୍ତ ସେବା ପହଞ୍ଚାଇବା ନିମନ୍ତେ ‘ଆୟୁଷ୍ମାନ ଭବ’ ଅଭିଯାନ ଭଳି ପଦକ୍ଷେପ ଦେଶବ୍ୟାପୀ ଯୋଜନା କରାଯାଇଛି । ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨, ୨୦୨୩ ‘ସେବା ପକ୍ଷ’ରେ ତ୍ବରାନ୍ବିତ କରାଯିବ ।

Leave A Reply

Your email address will not be published.