ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁଷ ୫.୦ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନ କନ୍ଧପାଲିଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତଙ୍କ ଦ୍ଵାରା ମିଶନ ଇନ୍ଦ୍ର ଧନୁଷ ୫.୦ (ଆଇ.ଏମ.ଆଇ) ସମ୍ମିଳିତ ଟୀକାକରଣ ଅଭିଯାନକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ଚାଲିବ । ସେପ୍ଟେମ୍ବର ୧୧ ତାରିଖରୁ ୧୬ ତାରିଖ, ଅକ୍ଟୋବର ୦୯ ତାରିଖରୁ ୧୪ ତାରିଖ ଏବଂ ନଭେମ୍ବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୀକାକରଣ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ଏଥିରେ ଜିଲ୍ଲାରେ ଜନ୍ମରୁ ୫ ବର୍ଷ ଯାଏଁ ଶିଶୁଙ୍କୁ ଟୀକାକରଣ କରାଯିବ । ଜନ୍ମରୁ ୨ ବର୍ଷ ଯାଏଁ ୫୪୩୮ଜଣ, ୨ରୁ ୫ ବର୍ଷ ଯାଏଁ ଶିଶୁଙ୍କୁ ୫୦୩ ଜଣ ଏବଂ ଗର୍ଭବତୀ ମହିଳାଙ୍କୁ ୧୦୦୯ ଜଣଙ୍କୁ ଟୀକା ଦେବାକୁ ଲକ୍ଷ ରଖାଯାଇଛି । ଜିଲ୍ଲାର ୩୪ଟି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ପଞ୍ଜିକରଣ କରିବାକୁ ଏଉ୍‌-ୱିନ ନାମକ ଏକ ଅନଲାଇନ ପୋର୍ଟାଲ କରାଯାଇଛି । ହିତାଧିକାରୀ ଏହା ମାଧ୍ୟମରେ ପଞ୍ଜିକରଣ କରିପାରିବେ । କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳତା ପାଇଁ ସମସ୍ତଙ୍କୁ ଆହ୍ଵାନ କରିବା ସହ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ଧ୍ୟାରେ ଜାତୀୟ ମିଶନ ବୈଠକ ଗୃହରେ ଗଣମାଧ୍ୟମକୁ ଏ ବାବଦରେ ସବିଶେଷ ତଥ୍ୟ ଦେଇଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟକିଶୋର ପତି, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ସୁଧା ବାର୍ଲା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଞ୍ଜଳି ମିଶ୍ର, ଗୁରୁଦେବ କୁମ୍ଭାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.