ବଲାଙ୍ଗିର, (କେପିଏନ୍ଏସ୍) : ସାହିତ୍ୟ ଅକାଦେମି ଓ ରଚନାର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ସହରର ପତିତପାବନ ଏକାଡେ଼ମୀର ସଭାଗୃହରେ ‘ଓଡ଼ିଆ ଯୁବ ଲେଖକ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର ଶତପଥୀ ସଭାପତିତ୍ୱ କରିଥିବା ବେଳେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ସହ ସଂପାଦକ କ୍ଷେତ୍ରବାସୀ ନାଏକ । ଅଧିବେଶନକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଲେଖକ ତଥା ସମାଲୋଚକ କାଳିଦାସ ମିଶ୍ର । ପ୍ରାରମ୍ଭିକ ସୂଚନା ଦେଇଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମନୋଜ କୁମାର ପଣ୍ଡା । ‘ରଚନା’ର ସଭାପତି ସନାତନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଅଧିବେଶନରେ କ୍ଷୁଦ୍ରଗଳ୍ପ ପାଠ କାର୍ଯ୍ୟକ୍ରମ ରହିଥିବା ବେଳେ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଯୁବ ଗାଳ୍ପିକ ବିଶ୍ୱନାଥ ସାହୁ, ଜଗନ୍ନାଥ ସାହୁ ଓ ଶ୍ରୁତକିର୍ତ୍ତୀ ତ୍ରିପାଠୀ ଗଳ୍ପ ପାଠ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହି ଅଧିବେଶନରେ ‘ମୁଁ କାହିଁକି ଲେଖେ’ ଶୀର୍ଷକରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କବି ଭାଗୀରଥି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଧିବେଶନରେ ‘ମୁଁ କାହିଁକି ଲେଖେ’ ପ୍ରଶ୍ନର ଉତ୍ତର ରଖିଥିଲେ କବି ଆନଂଦ ଚଂଦ୍ର ସାହୁ, ଲକ୍ଷ୍ମୀନାରାୟଣ ହୋତା, ମୁକୁଲ ମିଶ୍ର, ସଂଜୟ କୁମାର ମିଶ୍ର ଓ ସ୍ୱାଗତିକା ସ୍ୱାଇଁ । ଏହାପରେ ତୃତୀୟ ଅଧିବେଶନରେ ଆରମ୍ଭ ହୋଇଥିଲା କବିତା ପାଠ । ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ କବି ପ୍ରହଲ୍ଲାଦ ଶତପଥୀ । କବିତା ପାଠ କରିଥିଲେ କବି ଆଶିଷ କୁମାର ମିଶ୍ର, ଜୟଦ୍ରଥ ସୁନା, ମହେଶ୍ୱର ପ୍ରଧାନ, ମମତା ପ୍ରିୟଦର୍ଶିନୀ ସାହୁ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ପୁଣ୍ୟଦୀପା ଖମାରୀ । ଏହି ଦିନ ତମାମ୍ର ସାହିତ୍ୟ କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, ସାହିତ୍ୟ ପ୍ରେମୀ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ ।