- ବଲାଙ୍ଗିରର ବିକାଶ ପ୍ରକ୍ରିୟା ନିରନ୍ତନ ଜାରି ରହିବ : ନରସିଂହ
- ବିକାଶ ବିରୋଧୀଙ୍କ କୁମ୍ଭୀର କାନ୍ଦଣାର ଉଚିତ୍ ଜବାବ ଦେବେ ଜନତା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ବଲାଙ୍ଗିରର ସମ୍ପୂର୍ଣ୍ଣ ବିକାଶ ପାଇଁ ଅନେକ ଲଢେଇ କରାଯାଇଛି । ସ୍ଥାନୀୟ ରାଜନେତାଙ୍କ ପ୍ରଚଣ୍ଡ ବିରୋଧ ସତ୍ତେ୍ୱ ବଲାଙ୍ଗିର ପାଇଁ ଅନେକ ଆଖି ଦୃଶିଆ ପ୍ରକଳ୍ପ ଯଥା ମେଡିକାଲ କଲେଜ, ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଷ୍ଟଡିୟମ, ଭୀମ ପାହାଡ ପର୍ଯ୍ୟଟନ ସ୍ଥଳି, କିରାବାହାଲ ଛତାମଖନା ବ୍ୟାରେଜ ସମେତ ସହରର ସମସ୍ତ ରାସ୍ତା ଉନ୍ନତିକରଣ କରାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ବିରୋଧୀ ଯେତେ ବିରୋଧ କଲେ ହେଁ ବଲାଙ୍ଗିରର ବିକାଶ ପ୍ରକ୍ରିୟାକୁ କେହି ରୋକି ପାରିବେ ନାହିଁ । ଆଗାମୀ ଦିନରେ ନିଶ୍ଚିତ ଭାବରେ ଏମାନଙ୍କ କୁମ୍ଭୀର କାନ୍ଦଣା ଉଚିତ ଜବାବ ଲୋକେ ଦେବେ ବୋଲି ଆଜି ସ୍ଥାନୀୟ ବ୍ରାହ୍ମଣପଡା ଲକ୍ଷ୍ମୀଯୋର ଉପରେ ଏକ ହାଇଲେବେଲ ସେତୁର ଲୋକାର୍ପଣ ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିକାଶ ବିରୋଧୀଙ୍କ ଭୁଆଁବୁଲା ରାଜନୀତିକୁ ଲୋକେ ଠିକ୍ ଭାବରେ ବୁଝି ଗଲେଣି । ଲୋକେ ଆଉ ଠକେଇରେ ପଡିବେ ନାହିଁ । ଲୋକଙ୍କୁ ଶିକ୍ଷା, କୃଷି, ଜଳସେଚନ, କ୍ରିଡା ଓ ଗମନାଗମନ କ୍ଷେତ୍ରରେ ବିକାଶ ହିଁ ଦରକାର । ତେଣୁ ଯେଉଁମାନେ ନକରାତ୍ମକ ରାଜନୀତି କରୁଛନ୍ତି ସେମାନେ ସତର୍କ ହୋଇଯାଆନ୍ତୁ । ଆଜି ଅପରାହ୍ନରେ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ଶାରଦେଶ୍ୱରୀ ଆୟୁର୍ବେଦିକ ଡାକ୍ତରଖାନାରେ ୨୩ ଲକ୍ଷ ଟଙ୍କାର ଅନୁଦାନରେ ଏକ ପ୍ରାଚେରୀର ଭିତ୍ତି ପ୍ରସ୍ତର ଦେବା ସହ ସେଠାରେ ଉପସ୍ଥିତ ଥିବା ଡାକ୍ତରମାନଙ୍କ ସହ ପଂଚକର୍ମ ଗୃହ ନିର୍ମାଣ ତଥା ଡାକ୍ତରଖାନାର ଅନ୍ତେବାସୀମାନଙ୍କ ବାବଦରେ ପଚାରି ବୁଝିଥିଲେ । ପରେ ପରେ ଲକ୍ଷ୍ମୀଯୋର ଉପରେ ୩କୋଟି ୫ଲକ୍ଷ ୮୧ହଜାର ଟଙ୍କାର ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏକ ହାଇ ଲେବଲ ସେତୁର ଲୋକାର୍ପଣ କରିଥିଲେ । ଲୋକଙ୍କ ବହୁ ଦିନର ଦାବି ଥିବା ଏହି ସେତୁ ଲୋକାର୍ପଣ ଉତ୍ସବରେ ଅଂଚଳର ଶହସ୍ରାଧିକ ମହିଳା ଓ ପୁରୁଷ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବା ସହ ସେମାନଙ୍କ ସମସ୍ୟାକୁ ନେଇ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କ ସାମୁହିକ ସମସ୍ୟା ଯାହାବି ଅଛି ସେ ସବୁକୁ ନିଶ୍ଚିତ ଭାବରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବ୍ରାହ୍ମଣପଡାରୁ ବରପାଲିପଡାକୁ ସଂଯୋଗ କରୁଥିବା ସେତୁ ବହୁ ସଙ୍କୀର୍ଣ୍ଣ ତଥା ତଳିଆ ଥିବାରୁ ଏଠାରେ ଅନେକ ସମୟରେ ଲୋକଙ୍କ ଜାତାୟତ ପାଇଁ ଟ୍ରାଫିକ ସମସ୍ୟା ଉପୁଜି ଦୁର୍ଘଟଣା ଘଟି ଧନଜୀବନ ହାନୀର ଆଶଙ୍କା ଥିଲା । ଏହି ଉଚ୍ଚତମ ସେତୁ ନିର୍ମାଣ ପରେ ଏହି ସମସ୍ୟା ପ୍ରାୟତଃ ଦୂର ହୋଇଯିବ । ଏ ଉଭୟ କାର୍ଯ୍ୟକ୍ରମରେ ଡା. ପ୍ରଶନ୍ନ ମିଶ୍ର, ଆୟୁର୍ବେଦିକ ଛାତ୍ର ସଂସଦର କର୍ମକର୍ତ୍ତା, ବିଧାୟକଙ୍କ ପ୍ରତିନିଧି ଡା. ପ୍ରକାଶ ଦାଶ, ନବ କିଶୋର ମାଝି, ମନୀଷ ମିଶ୍ର, ଅସୀତ ମିଶ୍ର, ବୁଲୁ ଦାନି, ହିମାଂଶୁ ନାୟକ, ସାନନ୍ଦ ମିଶ୍ର, ଅରୁଣ ଶତପଥି, ଜୁଲୁ ପଟ୍ଟନାୟକ, ଜୟନାରାୟଣ ମିଶ୍ର, କୈଳାସ ମିଶ୍ର, ଡା. ପ୍ରଶାନ୍ତ ପ୍ରଧାନ, ଗୋପାଳ ମିଶ୍ର, ରବି ସ୍ୱାଇଁ, ସବିତା ସାହୁ, ସାଇନା ବେଗମ, ସବିତା ଶତପଥି, କଳ୍ପନା ସେଠଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।