jayashree

୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ : ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

  • ଦାବୀପତ୍ର ଦେବା ମାସେ ବିତିଲା ହେଲେ ଶିକ୍ଷକ ସମସ୍ୟା ପୂରଣ ହେଲା ନାହିଁ, ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ବିବିନା ପଞ୍ଚାୟତର ଜାମପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ଥିବା ବେଳେ ୧୩୦ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି । ଯାହା ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି ବିଦ୍ୟାଳୟ ପାଇଁ ଆହୁରି ୩ ଜଣ ଶିକ୍ଷକ ଆବଶ୍ୟକ ରହୁଥିବା ବେଳେ ଶିକ୍ଷା ବିଭାଗ ନୀରବ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସ୍କୁଲ କମିଟି ତରଫରୁ ସଇଁତଲା ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ଲିଖିତ ଅଭିଯୋଗ କରିବାର ୧ ମାସ ବିତି ଯାଇଥିଲେ ମଧ୍ୟ ଶିକ୍ଷକ ସମସ୍ୟା ପୂରଣ ନ ହେବା ସହିତ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଗ୍ରାମବାସୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଯଦି ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସ୍କୁଲରେ ତାଲା ଦିଆଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଏଣୁ ୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ କିପରି ଭାବରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇବେ ତାହାକୁ ନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ସ୍କୁଲ ସଭାପତି କାହ୍ନୁଚରଣ ଭାଟି, ହରି ଭାଟି, ରମେଶ ଭାଟି, ମହେନ୍ଦ୍ର ଭାଟି, ଚିତ୍ରସେନ ଭାଟି, ହେମଲତା ସାଗର, ସାବିତ୍ରୀ ସାଗର, ସବିତା ସାଗର, ଗୀତାଞ୍ଜଳି ସାଗର, ମମତା ସାଗର, କୈଳାଶ ଭୋଇ, ବୈଷ୍ଣବ ସାଗର, ମୁରଲୀ ସାଗରଙ୍କ ସମେତ ସ୍କୁଲ କମିଟି ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.