jayashree

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ହସିଲେ ଦେଶ ହସିବ, ତେଣୁ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରତ୍ୟେକ ପିତାମାତା ଯତ୍ନବାନ ହେବା ଆବଶ୍ୟକ । ସେମାନଙ୍କ ଭିତରେ ମାତୃଭୂମି ଓ ମାତୃଭାଷା ପ୍ରତି ଭଲ ପାଇବା ସୃଷ୍ଟି କରିବା ସହିତ ସେମାନଙ୍କ ପାଇଁ ଥିବା ଆଇନ ସମ୍ପର୍କରେ ସଚେତନ କରିବା ଏବଂ ଉତ୍ତମ ବ୍ୟବହାର ଶିଖାଇବା ଆବଶ୍ୟକ । ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କ ବିକାଶ ତଥା ସେମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା । ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ଵାରା ଆୟୋଜିତ ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ “ଶିଶୁ ସୁରକ୍ଷା ଲକ୍ଷ୍ୟ ଓ ବାସ୍ତବତା” ଶୀର୍ଷକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି । ଏଥିରେ ଅତିଥିବକ୍ତା ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷକ ଅଧିକାରୀ ଦିଗମ୍ବର କର, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ଏସ୍ ଲତାଶ୍ରୀ, ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ର ଏବଂ କଲ୍ୟାଣ ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦିକା ମୀନାକ୍ଷୀ ପୁରୋହିତ ଯୋଗ ଦେଇ ଶିଶୁମାନଙ୍କୁ ସେମାନଙ୍କ ଅଧିକାର ଦେବା ଏବଂ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନିଜେ କାମ କରି ପାଇଥିବା ଅନୁଭବ ଏବଂ ଅନୁଭୂତି କହିବା ସହ ସେମାନଙ୍କ ପାଇଁ ଥିବା ଆଇନ ସମ୍ପର୍କରେ ସଚେତନ କରିଥିଲେ । ପରେ ପରେ ମତ ବିନିମୟ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମନୋରଞ୍ଜନ ସାହୁ ଏବଂ ଯୁବପ୍ରତିଭା ଶିବାମ୍ବୁ ଶେଖର ଧଳ ଓ ଡୋଲାମଣି ବାଗ ବିଷୟ ଉପରେ ନିଜ ନିଜ ମତ ରଖିଥିଲେ । ସଭା ଆରମ୍ଭରେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତା “ଶିଶୁ”ର ଆବୃତ୍ତି କରିଥିଲେ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ‘ରଚନା’ର ଉପସଭାପତି ବରିଷ୍ଠ ସାମ୍ବାଦିକ କବି ଆନନ୍ଦ ଚନ୍ଦ୍ର ସାହୁ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.