ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

  • ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ବିମଳେନ୍ଦୁ ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା, ସମସ୍ତ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ମେହେର ବୈଠକରେ ଉପସ୍ଥିତ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖଙ୍କୁ ବୈଠକରେ ସ୍ବାଗତ କରିଥିଲେ । ପରେ ପରେ ଅଧ୍ୟକ୍ଷାଙ୍କ ଅନୁମତିରେ ଗତ ତା ୨୪ /୦୫/୨୩ରେ ଅନୁଷ୍ଠିତ ବୈଠକରେ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ଆଗତ ବିଭିନ୍ନ ବିଭାଗୀୟ ପ୍ରଶ୍ନର ଉତ୍ତର ତଥା ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଦୃଢ଼ିକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ । ଅଧ୍ୟକ୍ଷା ଜିଲ୍ଲା ପରିଷଦ ଶ୍ରୀମତୀ ସୁପାର ଠେଲା ଉପସ୍ଥିତ ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ନିଜ ବକ୍ତବ୍ୟରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ଉଚିତ୍‌ ଗୁଣବତ୍ତାର ସହ ସଫଳତା ପହଞ୍ଚାଇବାକୁ ସମସ୍ତେ ସୁସମନ୍ୱୟ ପୂର୍ବକ କାର୍ଯ୍ୟକରିବା ସହିତ ଜିଲ୍ଲା ବିକାଶରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ଆଜିର ବୈଠକରେ ଗତ ତା ୨୪/୦୫/୨୩ ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକର ବିବରଣୀକୁ ଅନୁମୋଦନ ନିମନ୍ତେ ଗୃହରେ ଆଗତ କରାଯାଇଛି ତତ ସହ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ କେଦ୍ରୀୟ ଅର୍ଥ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଦ୍ୱାରା ଜିଲ୍ଲା ପଞ୍ଚାୟତ ଉନ୍ନୟନ ଯୋଜନା ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ଅନୁମୋଦନ ନିମନ୍ତେ ଗୃହରେ ଉପସ୍ଥାପନ କରାଯାଇଛି । ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ବିନିକା ଡୁଙ୍ଗୁରିପାଲି ମେଗା ପାଇପ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତା ସନ୍ତୋଷ ଜନକ ନଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟ ପ୍ରକଳ୍ପର ସଠିକତା, ସ୍ୱଚ୍ଛତା ତଥା ଗୁଣବତ୍ତାକୁ ଯାଞ୍ଚ କରାଯିବା ପାଇଁ ମନ୍ତ୍ରୀ ପୂଜାରୀ ଗୃହରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ବିଦ୍ୟୁତ ବିଭାଗର କାର୍ଯ୍ୟକାରିତାର ଆଲୋଚନା କରାଯାଇଥିବା ବେଳେ ପିଡବ୍ଲୁଡି ବିଭାଗ, ଆର୍‌ଡି ବିଭାଗ ଦ୍ୱାରା ନିର୍ମାଣାଧୀନ କୋଠା ବାଡ଼ି ସହ ରାସ୍ତା ଓ ପୋଲ ନିର୍ମାଣର ସ୍ଥିତି ଓ ଅଗ୍ରଗତି ତଥା ନୂତନ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା, ସ୍ଥିତି ତଥା ଅଗ୍ରଗତି, ଚାଷୀଙ୍କୁ ଫସଲ ବୀମାର ଉପଲବ୍ଧତା ଓ ସଫଳତା ଉପରେ ସଭ୍ୟ ସଭ୍ୟା ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଗ୍ରାମ୍ୟାଞ୍ଚଳରେ କାର୍ଯ୍ୟ କରୁଥିବା କୃଷି ଅଧିକାରୀଙ୍କୁ ନିଜ କ୍ଷେତ୍ରରେ ରହଣିକୁ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ବନଖଣ୍ଡ ବିଭାଗ ଦ୍ୱାରା ସାମାଜିକ ବନୀକରଣ, ରାସ୍ତାପାର୍ଶ୍ଵ ବୃକ୍ଷ ରୋପଣ ତଥା ବନ୍ୟ ଜନ୍ତୁ ଦ୍ୱାରା କ୍ଷୟ କ୍ଷତିର ଅନୁକମ୍ପା ସହ ବନ୍ୟଜନ୍ତୁ ଦାଉରୁ ସୁରକ୍ଷା ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ପୁନଶ୍ଚ ତେଲ ଜଳସେଚନ ବିଭାଗ, ମେଗା ଲିଫ୍ଟ ଇରିଗେଶନ, ଓଏଲ୍‌ ଆଇ ସି, ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ନିଯୁକ୍ତି ଓ ବିଭଗୀୟ ସମସ୍ୟା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ଉପରେ ବିଶେଷ ଆଲୋଚନା ହୋଇଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଲୋକ ଯୋଜନାର ସଠିକ କାର୍ଯ୍ୟକାରିତା, କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ଥିତି, ଅବସ୍ଥିତି ଓ ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପରିଷଦ ଦ୍ୱାରା ଗ୍ରାମୀଣ ଆବାସ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସ୍ୱଚ୍ଛ ଭାରତ ମିଶନ ସହ ପଞ୍ଚଦଶ କେନ୍ଦ୍ରିୀୟ ଅର୍ଥ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅର୍ଥ ଅନୁଦାନ ଉପରେ ସିଡିଓ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ସଦସ୍ୟ ସଦସ୍ୟା ନିଜ ନିଜ ଅଂଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ । ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ /ସଦସ୍ୟାଙ୍କୁ ନିଜ ନିଜ ବିଭାଗର କାର୍ଯ୍ୟକାରିତା ଉପରେ ଅବଗତ କରାଇ ଆବଶ୍ୟକ ଉତ୍ତର ଦେଇଥିଲେ । ଶେଷରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସନତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.