ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସାକ୍ଷରତା ଓ ଶିକ୍ଷା ପରସ୍ପର ପରିପୁରକ ଅଟେ । ଶିକ୍ଷା କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରଖିଥାଏ । ଜୀବନରେ ପୂର୍ଣ୍ଣତା ଆଣିବା ପାଇଁ ବିଦ୍ୟାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ନିରକ୍ଷର ଲୋକ ସଦାସର୍ବଦା ଠକାମିର ଶିକାର ହୋଇଥାଏ । ସାକ୍ଷରତା ଜାଣିନଥିବା ବ୍ୟକ୍ତିର ଜୀବନ ଅନ୍ଧକାରରେ କଟିଥାଏ ବୋଲି ଆୟୋଜିତ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀଣ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପାଟଣାଗଡ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ରାଜ୍ୟ ସରକାର ଶିକ୍ଷା ବିକାଶ ସହିତ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେଇଥିବାରୁ ଏହାକୁ ପ୍ରଶଂସା କରିବା ସହିତ ଶିକ୍ଷକମାନେ ସାକ୍ଷରତା ବୃଦ୍ଧି କ୍ଷେତ୍ରରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବିଡିଓ ବିଜୟ କୁମାର ହୋତା, ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଂଶୁପା କୁମାରୀ ଭୋଇ, ଏବିଇଓ ମିନିକେତନ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଖପ୍ରାଖୋଲ ସିଆର୍ସିସି ଶ୍ରୀପତି କୁମ୍ଭାର ସଭା ସଂଯୋଜନା କରିଥିଲେ । କାର୍ୟ୍ୟକ୍ରମରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ନନ୍ଦ କିଶୋର ବାଗ ଓ ଗୁଣମଣି ସାହୁ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ରମେଶ ପଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ପଟେଲ, ଗୋବିନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱ ସାକ୍ଷରତା ଦିବସ ପାଳନ ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିବା ବିଦ୍ୟାଳୟର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ଖପ୍ରାଖୋଲ ଅଂଚଳ ପରିକ୍ରମା କରିଥିଲେ ।
Next Post