ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପର୍ବ ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରସିଦ୍ଧ ହରିଶଙ୍କର ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗି ରହିଥିଲା । ଶ୍ରଦ୍ଧାଳୁମାନେ ଉପାସ ରହିବା ସହିତ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥିଲେ । ଖପ୍ରାଖୋଲ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ଦେବନୀତି ହୋଇଥିବା ବେଳେ ପୂଜକ ରମେଶ ଦାଶ ସମ୍ପାଦନ କରିଥିଲେ । ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଅଂଚଳ ପରିକ୍ରମା କରିଥିଲେ । ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିବା ବେଳେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭ ବୋଧରେ ପଢୁଥିବା କୋମଳମତୀ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ସମସ୍ତଙ୍କର ଆକର୍ଷଣ ସାଜିଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାକେଶ ପଧାନଙ୍କ ସମେତ ବିଣାପାଣୀ ପଧାନ, ମିତା ପଧାନ, କାମିନି ବରିହା, ରିତାଞ୍ଜଳି ପଣ୍ଡା, ହୃଦେଶ୍ୱରୀ ସାହୁ, ହୃଷିକେଷ ବେହେରା, ବିଶ୍ୱନାଥ ସେଲମା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।