ବଲାଙ୍ଗିର, (କେପିଏନ୍ଏସ୍) : ସରସ୍ବତୀ ଶିଶୁ ମନ୍ଦିର ଚନ୍ଦନଭାଟିଠାରେ ଆଜି ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । କଅଗାଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିବା ସହିତ ଶିଶୁ ଭାଇଭଉଣୀଙ୍କୁ ଆରୁଣୀ ଓ ଏକଲବ୍ୟ କାହାଣୀ ମାଧ୍ୟମରେ ଶିଶୁଙ୍କୁ ଗୁରୁଶିଷ୍ୟ ସଂପର୍କ ଉପରେ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଷ୍ଟମ ଶ୍ରେଣୀର ଭଉଣୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଆଚାର୍ଯ୍ୟ ଟିକେଶ୍ବର ମିଶ୍ର ନିଜ ବକ୍ତବ୍ୟରେ ଶିଶୁଙ୍କୁ ଗୁରୁ ଭକ୍ତି ଉପରେ ମାର୍ଗଦର୍ଶନ କରିଥିଲେ । ଶିଶୁଭଉଣୀ ସିଦ୍ଧି ଥନାପତି, ଅଞ୍ଜଳି ପଟେଲ, ଅଞ୍ଜଳି ମେହେର ଓ ଶ୍ରୁତି ମେହେର ଗୁରୁଦିବସ ବିଷୟରେ ନିଜ ନିଜର ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସଭାପତି ରାମଚନ୍ଦ୍ର ପ୍ରଧାନ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବକ, ସେବିକାଙ୍କୁ ଅନୁଷ୍ଠାନ ତରଫରୁ ଗଣବେଶ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ ସଭା ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଦୀଲିପ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।
Prev Post