ଦୀପିକା ଇସ୍ପାତ ଶିକ୍ଷା ସଦନରେ ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୮ ଦୀପିକା ଇସ୍ପାତ ଶିକ୍ଷା ସଦନ ଓ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ସଭାପତିତ୍ୱ ତଥା ସମ୍ମାନିତ ବକ୍ତା ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱଭାବକବିଙ୍କ ଜୀବନୀ ଓ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରକୃତି କବି ଗଙ୍ଗାଧର ଥିଲେ ପ୍ରତିଭାଧାରୀ କବି । ଜଣେ ଆଧୁନିକ ଅବବୋଧର ବ୍ୟକ୍ତିତ୍ବ ଭାବେ ମେହେର ଜ୍ଞାନ ସମାଜର ପ୍ରତିନିଧି ଥିଲେ । ପ୍ରକୃତି ତଥା ସଂଘର୍ଷମୟ ପ୍ରତ୍ୟକ୍ଷ ଅନୁଭବର ସୌନ୍ଦର୍ୟ୍ୟ ଓ ଅବିରତ ସାଧନାର ଫଳଶ୍ରୁତି ତାଙ୍କ ସାହିତ୍ୟ ସାଧନାରେ ଥିଲା । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡିଆ ସାହିତ୍ୟ ଓ ଭାଷା ପ୍ରତି ଥିଲା ଗଙ୍ଗାଧରଙ୍କ ଗଭୀର ଅନୁରାଗ । କାବ୍ୟ ଶିଳ୍ପର ଉଜ୍ଜଳ ତାରକା । କବି ଗଙ୍ଗାଧର ମେହେର ଓଡିଆ ଭାଷା ସାହିତ୍ୟରେ ଏକ ସ୍ବତନ୍ତ୍ର ଆସନର ଅଧିକାରୀ । ଜୀବନବ୍ୟାପୀ ଦାରିଦ୍ର ଓ ଜୀବନ ସଂଗ୍ରାମ ସତ୍ତ୍ବେ ସେ ଗାଇଥିଲେ ମଧୁମୟ ଜୀବନର ଗାଥା । ସଭାପତିତ୍ବ ଅଭିଭାଷଣରେ ଶ୍ରୀ ସାମଲ କହିଲେ କବି ପ୍ରାଥମିକ ଶିକ୍ଷା ସାରି ପାରି ନଥିଲେ ହେଁ ତାଙ୍କର ଅଗାଧ ପାଣ୍ଡିତ୍ବ, ବହୁ ଶାସ୍ତ୍ରଦର୍ଶୀତା ତାଙ୍କୁ ଜଣେ ବିଶିଷ୍ଟ କବି ଭାବେ ଠିଆ କରେଇଛି ଓଡିଆ ସାହିତ୍ୟରେ । କବି ଥିଲେ ସତ୍ୟଭାଷୀ, ବିନୟୀ ଓ ସରଳ । ସମ୍ମାନିତ ବକ୍ତା ଶ୍ରୀମତୀ ଜେନା କହିଲେ ଯେ ଗଙ୍ଗାଧରଙ୍କ କାବ୍ୟ ପ୍ରତିଭାର ପଟାନ୍ତର ନାହିଁ । ଦେଶ ଜାତି, ପ୍ରିତି, ସ୍ବଦେଶ ଭାବନା, ପ୍ରକୃତିପ୍ରାଣତା, ଭାଷା ସାହିତ୍ୟର ମମତାବୋଧରେ ତାଙ୍କ କାବ୍ୟାତ୍ମା ଅମର ହୋଇଛି । ଏହି ଅବସରରେ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ କବିଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖି ପୁରସ୍କୃତ ହୋଇଥିଲେ । ପ୍ରାରମ୍ଭରେ ଅତିଥିମାନେ ‘ବୈଜ୍ଞାନିକ ମନୋଭାବ ‘ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ନିହାରିକା ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶ୍ବଜିତା ମହାପାତ୍ର, ସବିତା ମିଶ୍ର, ଶ୍ରୀବତ୍ସ ସାମଲ, କୃତିଦୀପା ସାହୁ, ରତ୍ନମଞ୍ଜରୀ ରଥ, ସୁବାସ ଗୁପ୍ତା, ଇନ୍ଦ୍ର ମିସ୍ତ୍ରୀ, ତପସ୍ବିନୀ ସ୍ବାଇଁ, ସଂଯୁକ୍ତାମଣି ଲେଙ୍କା ଓ ସ୍ନେହପ୍ରଭା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.