ଅସହାୟ ଗରିବ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତ ସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଅଧିକାଂଶ ସ୍ଥାନରେ ଲୋକାଭିମୁଖୀ ଯୋଜନା ବାଟବଣା ହୋଇ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଲେରଗାଁର ଜୟନ୍ତୀ ତାଣ୍ତି ଜଣେ ଅସହାୟ ସ୍ୱାମୀ ପରିତ୍ୟକ୍ତ ମହିଳା, ବାପା ଘରେ ରହି ଦୟନୀୟ ଅବସ୍ଥାରେ ଖଟି ଖାଇ ଦିନ କାଟୁଛନ୍ତି । ତାଙ୍କର ୮ବର୍ଷର ଗୋଟିଏ ଶିଶୁ କନ୍ୟା ଅଛି । ସେହି ଶିଶୁ କନ୍ୟାଟି ପୁଣି ଜଣେ ସିକଲିନ ରୋଗୀ । ତାଙ୍କର ଚିକିତ୍ସା କରିବା ପାଇଁ ପଇସାପତ୍ର ଅଭାବରୁ ଚିକିତ୍ସା ହୋଇ ପାରୁନାହିଁ । ଅର୍ଥନୈତିକ ଜନ ଗଣନା ଅନୁସାରେ ଏସିସି ତାଲିକାରେ ତାଙ୍କର ନାମ ଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ତିଏ ପାଇବା କଥା । ମାତ୍ର ଏ ପର୍ୟ୍ୟନ୍ତ ତାକୁ ଘର ଖଣ୍ଡିଏ ମିଳୁନାହିଁ । ଶୀତ କାକରରେ ଚାଳ ଓ ପାଳ ଘରେ ରହି ଦିନ କାଟୁଛନ୍ତି । ତେଣୁ ଏହି ଅସହାୟ ମହିଳା ପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ତାକୁ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ ଘର ଖଣ୍ଡିଏ ଓ ସ୍ୱାମୀ ପରିତ୍ୟକ୍ତା ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.