ହମିରପୁର ଉନ୍ନୟନ ପରିଷଦର ୪ର୍ଥ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିବି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ପ୍ରୀୟବ୍ରତ ସାମଲ ଓ ହମିରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୋନାଲୀ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଡିସିବି ବ୍ୟାଙ୍କର ସୁଧହାର ଅନ୍ୟ ବ୍ୟାଙ୍କ ତୁଳନାରେ ଅଧିକ ଥିବାରୁ ଉପସ୍ଥିତ ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ । ସେହିପରି ସୁରକ୍ଷା ଫିକ୍ସ ଡିପୋଜିଟ୍‌ ଓ ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଡାକ୍ତର ସୁଶ୍ରୀ ମହାନ୍ତି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା, ଡେଙ୍ଗୁ, ଫାଇଲେରିଆରୁ ନିରାକରଣ ସଂପର୍କରେ ବକ୍ତବ୍ୟ ଦେବା ସହ ହମିରପୁରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଥିଲେ । ଏହି ଅବସରରେ ବ୍ୟାଙ୍କ ତରଫରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ସାମଲ ଘୋଷଣା କରିଥିଲେ । ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ଓ ହମିରପୁରବାସୀ ଚନ୍ଦ୍ରାୟନ-୩ର ସଫଳ ଅବତରଣକୁ ଉପଭୋଗ କରିବା ସହ ଭାରତ ମାତାର ଜୟଗାନ କରିଥିଲେ । ସଭାପତି ଡଃ ଦତ୍ତ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ଓ ସାଧାରଣ ସଂପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ନୂତନ ଭାବେ ଦାୟିତ୍ୱ ନେଇଥିବାରୁ ତଥା ସମସ୍ତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାଙ୍କ ତରଫରୁ ସ୍ଥାନୀୟ ଶାଖା ମୁଖ୍ୟ ଅମରେନ୍ଦ୍ର ନାୟକ, ସହପରିଚାଳକ ସୁରଜ କୁମାର ନାୟକ, ରାମେଶ୍ୱରୀ ଦାଶ, ଦିବ୍ୟକାନ୍ତ ରଥ, ଦିଲ୍ଲୀପ କୁମାର ପାଢୀ, ଜଗନ ସାହୁ ଓ ପରିଷଦ ତରଫରୁ ଡାକ୍ତର ଗୋପାଳଚନ୍ଦ୍ର ରାୟ, ଗଙ୍ଗାଧର ଦାଶ, ଆରତୀ କର, ଚଞ୍ଚଳା କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ହମିରପୁର ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଏସ୍‌ଏଚ୍‌ଜି ଗୃପର ମହିଳା ଯୋଗଦେଇଥିଲେ । ଶେଷରେ ଡିସିବି ବ୍ୟାଙ୍କର ଶାଖା ପରିଚାଳକ ଅମରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.