ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ବିଶ୍ରା ବ୍ଲକ ଏବିଇଓ କୃପାସିନ୍ଧୁ ପତି ସ୍ୱତନ୍ତ୍ର ଅତିଥି, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂ ସମ୍ମାନିତ ଅତିଥି, ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱଭାବ କବିଙ୍କ ଜୀବନୀ ଓ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଆ ଭାଷାର ଦୁର୍ଦ୍ଦିନ ସମୟରେ ଭାଷା ସୁରକ୍ଷାର ସେନାପତି ଭାବେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଅବଦାନ ଚିରସ୍ମରଣୀୟ । ସେ ଏକାଧାରରେ ଜଣେ ଭାଷାପ୍ରେମୀ, ସାହିତ୍ୟ ସନ୍ଥ, ସମାଜ ସଂସ୍କାରକ, ଭାଷା ସାହିତ୍ୟର ଦିଗଦର୍ଶକ, ମାନବବାଦୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କର କାଳଜୟୀ ସୃଷ୍ଟି ତପସ୍ୱିନୀ, ଇନ୍ଦୁମତୀ, କିଚକବଧ, କୃଷକ ସଂଗୀତ, ପ୍ରଣୟ ବଲ୍ଲରୀ, ଅର୍ଘ୍ୟଥାଳୀ, ପଦ୍ମିନୀ, ରସ ରତ୍ନାକର ଆଦି ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସଂଗେ ସଂଗେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ନାୟକ, ତୃପ୍ତି ପରିଡା, ଖୁସି ପ୍ରଧାନ ପ୍ରମୁଖ ପ୍ରକୃତି କବିଙ୍କ ଜୀବନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦୁବେ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବୀଣାପାଣି ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.