ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଏମ୍ଡି ଶେଖ ହନିଫ ଦୀର୍ଘ ୧୫ ଦିନ ଧରି ମକ୍କା ମଦିନା ତୀର୍ଥଯାତ୍ରାରେ ଯାଇ ନିଜ ଗାଁ ମାଣ୍ଡୋସିଲକୁ ଫେରି ଆସିବା ପରେ ତାଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ମାଣ୍ଡୋସିଲ ଗାଁ କମିଟିର ଧନସିଂ ପଟେଲ, କିଶୋର ଖୁଣ୍ଟିଆ, ସୁବାଷ ହଂସ, ଲଳିତ ଜଗତ, ରାଧେଶ୍ୟାମ ପଟେଲ, ପଞ୍ଚୁରାମ ସାହୁ, ନବୀନ ଡନସନା ଶେଖ ହନିଫଙ୍କ ଘରକୁ ଆସି ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଶେଖ ହନିଫଙ୍କ ଘରକୁ ଯାଇ ତାଙ୍କୁ ଫୁଲମାଳ ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଶେଖ ହନିଫ ଗ୍ରାମ୍ୟ କମିଟିର ସଭାପତି ମଧ୍ୟ ଅଛନ୍ତି । ଯେକୌଣସି ଧର୍ମ ହେଉ ତୀର୍ଥଯାତ୍ରା କରି ଫେରୁଥିବା ଲୋକଙ୍କୁ ସମ୍ୱର୍ଦ୍ଧନା ଦେବାର ଏକ ନିଆରା ପରଂପରା ମାଣ୍ଡୋସିଲ ଗ୍ରାମରେ ଦେଖିବାକୁ ମିଳିଛି ।