ବେଆଇନ କୋଇଲା ଚୋରା କାରବାର ଘଟଣାରେ କବାଡିବାଲା ଗିରଫ, ଗାଡି ଡ୍ରାଇଭର ଚମ୍ପଟ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଥିବା ଏକ ଢ଼ାବା ପାଖରେ ବେଆଇନ କୋଇଲା କାରବାର ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୮ ଟନରୁ ଅଧିକ କୋଇଲା ଜବତ କରିଛି । ଏନେଇ ଥାନା କେସ ନଂ ୧୯୩ /୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଗତ ବୁଧବାର ଦିନ ସଇଁତଲା କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସଞ୍ଜୟ ବାଗୱାନୀ (୩୫) ଘର ରାୟପୁରର ତେଲିବନ୍ଦ ବୋଲି ଜଣାପଡିଛି । ପ୍ରକାଶ ଯେ , ବରଗଡ଼ ବୋରିଗୁମ୍ମା ୨୬ ଜାତୀୟ ରାଜପଥ ବେଲଗାଁ ରାସ୍ତା କଡ଼ରେ ଥିବା ଏକ ନୂଆ ଢ଼ାବା ପାଖରେ ଥିବା କବାଡି ଦୋକାନ ଉପରେ ସଇଁତଲା ଓ ବେଲଗାଁ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଉକ୍ତ ଢ଼ାବା ପାଖରୁ ରାୟପୁର ଅଞ୍ଚଳର ସଞ୍ଜୟ ବାଗୱନି କିଛି ଦିନ ଧରି ପଥର କୋଇଲା ବୋଝେଇ ଟ୍ରକମାନଙ୍କଠାରୁ ବେଆଇନ ଭାବରେ ଡ୍ରାଇଭରମାନଙ୍କୁ ଯୋଗାଯୋଗ କରି କୋଇଲା କିଣି ଅନ୍ୟ ସ୍ଥାନକୁ ଚଢା ଦରରେ ବିକ୍ରି କରିବା ପାଇଁ ପଠାଉଥିଲେ । ଗତ ୮ ତାରିଖ ଦିନ ମଧ୍ୟାହ୍ନ ସମୟରେ ରାୟପୁର ଅଞ୍ଚଳର ଗାଡି ମାଲିକ ସାଗର ଶର୍ମା ଜଗଦଳପୁରରୁ ଝାରସୁଗୁଡା ଟ୍ରାନ୍ସପୋର୍ଟ ପାଇଁ ଥିବା ବେଳେ ତାଙ୍କ କୋଇଲା ବୋଝେଇ ଗାଡି ପହଂଚିବା ପରେ ଡ୍ରାଇଭର କୋଇଲା ଅନଲୋଡ଼ କରି ବିକ୍ରି କରୁଥିବା ବେଳେ ଶ୍ରୀ ଶର୍ମା ହଠାତ ପହଂଚିଥିଲେ । ଏହି ସମୟରେ ଶ୍ରୀ ଶର୍ମା ଓ ଚୋର ଚାଲାଣ କରୁଥିବା କବାଡିବାଲାଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଉତ୍ତେଜନା ଦେଖାଯାଇଥିଲା । ଏଥିରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଗାଡି ଧରି ଚମ୍ପଟ ମାରିଥିଲା । ପରେ ଶ୍ରୀ ଶର୍ମା ବେଲଗାଁ ଫାଣ୍ଡିରେ ଘଟଣା ସମ୍ପର୍କ ଜଣାଇବା ପରେ ସଇଁତଲା ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ, ଏଏସ୍‌ଆଇ ଅରକ୍ଷିତ ନାୟକ, କାହ୍ନୁଚରଣ ମହାନ୍ତି ପହଂଚି କୋଇଲାକୁ ଜବତ କରିବା ସହ ଅଭିଯୁକ୍ତ ସଞ୍ଜୟକୁ କାବୁ କରି ଥାନାକୁ ଆଣି ପଚରାଉଚରା କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.