ଆର୍‌ବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମ.ରାମପୁର ବ୍ଲକର ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚଉବନୀ ସାହୁ, ସରପଞ୍ଚ, ସାଇଦଲଙ୍ଗା ଗ୍ରାମ ପଞ୍ଚାୟତ, ପିଇଓ, ସାଇଦଲଙ୍ଗା ସତ୍ୟବାନ ସାହୁ, ୟୁଜିବି ଶାଖା ପରିଚାଳକ, ଉତେଇ ଭେଲି କୃଷକ ଉତ୍ପାଦନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ହୋତା ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତାର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତିମାନେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନରେ ନିଜର କୌଣସି ଗୋପନୀୟ ତଥ୍ୟ ଯଥା ବ୍ୟାଙ୍କ୍ ଖାତା ନମ୍ବର, ଓଟିପି, ଏଟିଏମ୍‌ କାର୍ଡ ନମ୍ବର, ପାସ୍ କୋର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଇତ୍ୟାଦି ନମ୍ବର ବିଷୟରେ କୌଣସି ତଥ୍ୟ ନ ଦେବା ବିଷୟରେ ସତର୍କ କରାଯାଇଥିଲା । ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ । ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ବର୍ଷ ଆରମ୍ଭରୁ ସେହି ବ୍ୟୟ ପାଇଁ ବ୍ୟାଙ୍କରେ ସଞ୍ଚୟ ରଖିବା ଉପରେ ତାଲିମଦାତା ଗୁରୁତ୍ୱ ଆରୋପ କରିଥିଲେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ, ମହେଶ୍ୱେତା ସାହୁ, ପ୍ରକାଶ ତ୍ରିପାଠୀ, ଶ୍ରୀକାନ୍ତ ହୋତା ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ । ମମିତା ପୁଝାରୀ, ମହେଶ୍ଵେତା ସାହୁ, ଈଶ୍ୱର ସାହୁ, ତୁଳସୀ ରାମ ଓ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀରୁ ୬୮ଜଣ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.