ବିଇଡ଼ିରେ ନାମ ଲେଖାଇ ଦେବା ପ୍ରତିଶ୍ରୁତି ଦେଇ ୨୨୮ ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱ ବିଦ୍ୟାଳୟଏବଂ ଆନ୍ଦ୍ର ବିଶ୍ୱ ବିଦ୍ୟାଳୟ ଅଧିନରେ ବିଇଡ଼ିରେ ନାମ ଲେଖାଇ ଦେବା ପ୍ରତିଶ୍ରୁତି ଦେଇ ୨୨୮ ଜଣ ଛାତ୍ରଛାତ୍ରୀଙ୍କୁ ଠକି ପ୍ରାୟ ୮୦ ଲକ୍ଷ ଟଙ୍କା ଓ ସାର୍ଟିଫିକେଟ ନେଇ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଗିରଫ ଦାବି ଜଣାଇ ସଂପୃକ୍ତ ଛାତ୍ରଛାତ୍ରୀମାନେ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ରାଜଆଗଲପୁର ବ୍ଲକ ଅନ୍ତର୍ଗତ ସମ୍ବଲପୁର, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୨୨୮ ଜଣ ଛାତ୍ରଛାତ୍ରୀଙ୍କ ଏଡ୍‌ମିସନ୍‌ କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରତ୍ୟେକଙ୍କ ଠାରୁ ୩୫୦୦୦ ଟଙ୍କା ଏବଂ ସି.ଏଲ୍‌.ସି., ମାଇଗ୍ରେସନ୍‌, ଅରିଜିନାଲ ସାର୍ଟିଫିକେଟ ଅଭିଯୁକ୍ତ ଜଣକ ନେଇଛନ୍ତି । ୨୦୨୨-୨୪ ଶିକ୍ଷାବର୍ଷ ସକାଶେ ନାମ ଲେଖାଇବା ପ୍ରତିଶ୍ରୃତି ଦେଇ ଆନ୍ଧ୍ରକୁ ଯିବା ପାଇଁ ଗତ ଜୁଲାଇ ୧୬ ତାରିଖରେ ରେଳ ଷ୍ଟେସନରେ ସମବେତ ହୋଇ ଯାତ୍ରା କରିବାକୁ କହିଥିଲେ । ସେହିଦିନ ରେଳ ଷ୍ଟେସନ୍‌ରେ ସମସ୍ତ ଛାତ୍ରଛାତ୍ରୀ ସମବେତ ହେଲେ ମାତ୍ର କାହାରି ଦେଖାଦର୍ଶନ ମିଳି ନଥିଲା । ତେଣୁ ସମସ୍ତେ ହତାଶ ହୋଇ ଘରକୁ ଫେରି ଯାଇଥିଲେ ।ଏହି ଠକେଇ ସମ୍ପର୍କରେ ବରଗଡ଼ ଟାଉନ ଥାନାରେ ଜୁଲାଇ ୧୮ ତାରିଖ ଦିନ ଛାତ୍ରଛାତ୍ରୀମାନେ ବିଧିବଦ୍ଧ ଏଫ୍‌.ଆଇ.ଆର୍‌. ଦେଇଥିଲେ । ଜୁଲାଇ ୨୫ରେ ବରଗଡ଼ ଟାଉନ ପୋଲିସ୍‌ ଅଭିଯୁକ୍ତଙ୍କ ନଗରାଜ ଗ୍ରାମ ବାସଭବନ ଉପରେ ଚଢ଼ାଉ କରିଥିଲେ । ତେବେ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ତାଙ୍କ ବାସଭବନରୁ ୫୫ ଜଣ ଛାତ୍ର-ଛାତ୍ରୀଙ୍କ କାଗଜାତ୍‌ ଜବତ୍‌ କରିଥିଲେ ।ଏହାପରେ ପୋଲିସ୍‌ ସମ୍ପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନକରିବା ପ୍ରତିବାଦରେ ଗତକାଲି ୮ ତାରିଖ ଦିନ ସମସ୍ତ ଛାତ୍ରଛାତ୍ରୀ ବରଗଡ଼ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଅଭିଯୁକ୍ତ ଠକ ଶ୍ୟାମନ୍ତ କୁମାର ଭୋଇଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କଠାରୁ ଠକେଇ ହୋଇଥିବା ଟଙ୍କା ଓ ସାଟିଫିକେଟ୍‌ ଫେରସ୍ତ କରାଯିବାକୁ ଦାବୀ ଜଣାଇଥିଲେ ।ଠକେଇର ଶିକାର ଛାତ୍ରଛାତ୍ରୀଗଣ ଗୋଟିଏ ବହୁମୂଲ୍ୟ ବର୍ଷ ହରାଇ ମାନସିକ ଚାପରେ ଥିବା ନେଇ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ।ଜିଲ୍ଲା ପୋଲିସ୍‌ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.