ପଦ୍ମପୁର, (ନିରୋଜ କୁମାର ପାଣୀ) : ଥାନାରେ ରିପୋର୍ଟ କଲେ ମାଡପିଟ ହେବା ପାଇଁ ପୋଲିସ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଇକମାଲ ଥାନା ଅନ୍ତର୍ଗତ ବ୍ରାହ୍ମଣଡିହି ଗ୍ରାମର ଦୁର୍ଯ୍ୟୋଧନ ଭୋଇ ଜଣେ ୭୫ ବର୍ଷ ବୟସ୍କ ଆଦିବାସୀ । ଦୀର୍ଘ ବର୍ଷ ଧରି ଘର କରି ରହୁଥିବା ନିଜ ରୟତି ଜମିର ପଛପଟେ ୧୯୬୩ ମସିହାରେ ୪ ଡିସମିଲ୍ ଜାଗା ଗାଁର ଗୌନ୍ତିଆ ତାଙ୍କ ନାମରେ ଷ୍ଟାମ୍ପ ପେପର ବିକ୍ରି ନାମା କରିଥିଲେ । ୧୯୬୩ ମସିହାରୁ ଦୁର୍ଯ୍ୟୋଧନ ଭୋଇ ଉକ୍ତ ଜମି ଦଖଲ କରି ଆସୁଛନ୍ତି । ତାଙ୍କ ଘର ପଡୋଶୀ ରାଜୁ ବିଶି ଗତ କିଛିଦିନ ତଳେ ଉକ୍ତ ଜମିକୁ ଆସି ଜବର ଦଖଲ କରି ନେବାରୁ ଶ୍ରୀ ଭୋଇ ଓ ତାଙ୍କ ସାନ ଭାଇ ନିର୍ମଳ ଭୋଇ ଗତ ୨ ଦିନ ତଳେ ପାଇକମାଲ ଥାନାକୁ ଆସି ଏ ବିଷୟରେ ଲିଖିତ ରିପୋର୍ଟ ପ୍ରଦାନ କଲେ । ପୋଲିସ ଉଭୟ ପକ୍ଷକୁ ଡାକି ସମାଧାନ କରିବା ପରିବର୍ତ୍ତେ ଦୁର୍ଯ୍ୟୋଧନ ଓ ତାଙ୍କ ଭାଇକୁ ପୋଲିସ ଜମି ଉପରେ ମାଡପିଟ ହେଲେ ଆମେ ତୁମ କଥା ଶୁଣିବୁ ବୋଲି କହି ସେମାନଙ୍କୁ ଥାନାରୁ ବାହାର କରି ଦେଇଥିବା ନେଇ ଶ୍ରୀ ଭୋଇ ଅଭିଯୋଗ କରିଛନ୍ତି ଓ ଆମେ ବୁଢା ଲୋକ କାହା ସହ ମାଡ ଲାଗିବୁ ବୋଲି କହି ମୁଣ୍ତରେ ହାତଦେଇ ବସିଛନ୍ତି ।