ତିନିଦିନ ଭିତରେ ୬ଟି ଦୋକାନର ତାଲା ଭାଙ୍ଗି ଚୋରି ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ସିରିଏଲ୍ ଚୋରି ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଚାରିଦିନ ହେବ ବିଳମ୍ବିତ ରାତିରେ ୬ଟି ଦୋକାନ ଘର କବାଟ ତାଲା କାଟି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ଚାରି ଛକ ନିକଟସ୍ଥ ଉମାକାନ୍ତ ମେହେରଙ୍କ ଜୟ ବଜରଙ୍ଗ ବଳି ମୋବାଇଲ ଦୋକାନର ଲକକୁ କଟର ମାଧ୍ୟମରେ କାଟି ହାରାହାରି ୫୦ ହଜାର ଟଙ୍କାର ପୁରୁଣା ମୋବାଇଲ ଯାହାକି ମରାମତି ପାଇଁ ଦୋକାନରେ ଥିଲା ସେସବୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ରୋହିତ ଶଗଡ଼ିଆଙ୍କ ଲୁହା ୱେଲଡିଙ୍ଗ ଦୋକାନରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଥିବା ଜଣାଯାଇଛି । ଖପ୍ରାଖୋଲରୁ ୪ କିମି ଦୂରରେ ଥିବା କପସିପାଲି ଗ୍ରାମର ହୃଷିକେସ ଛତରଙ୍କ ମୋବାଇଲ ଦୋକାନ ଓ ଗଣେଶ ସାହୁଙ୍କ କିରାନା ଦୋକାନରୁ ମୋବାଇଲ ସହ କିରାନା ସାମଗ୍ରୀ ଚୋରି କରି ନେଇଥିବା ଆଭିଯୋଗ ହୋଇଛି । ଖପ୍ରାଖୋଲର ଅନ୍ୟ ଏକ ଦୋକାନର କବାଟ ତାଲା ଭଙ୍ଗା ଯାଇଥିଲେ ବି ଦୋକାନରୁ କୌଣସି ସାମାନ ଚୋରି ହୋଇନଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନାରେ ୪ଟି ମାମଲା ରୁଜୁ କରି ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତନାଘନା ଚଳାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ଲାଇନ୍ ନ ଥିବାର ସୁଯୋଗ ନେଇ ଏଭଳି ଚୋରି ହେଉଥିବା ବେଳେ ଚୋରମାନେ ବୋଲବମ କପଡା ପିନ୍ଧି କାଉଡିଆର ବେଶଭୁଷା ଧରି ଚୋରି କରୁଥିବା ଜଣାପଡିଛି । ଚୋରି ରୋକିବା ପାଇଁ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବାକୁ ଜନ ସାଧାରଣରେ ଦାବୀ ହେଉଅଛି ।

jittmm
Leave A Reply

Your email address will not be published.