ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପର୍ଯ୍ୟଟନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଗାଇସିଲେଟ ବ୍ଲକକୁ ମିଳିଛି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା । ୧୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଗାଇସିଲେଟ ବ୍ଲକର ବୁରୋମୁଣ୍ଡା ଗ୍ରାମରେ କଳା ଗ୍ରାମ ଏବଂ କଟାବାହଲଠାରେ ପର୍ଯ୍ୟଟନ ଦୃଷ୍ଟିରୁ ମଲକେନ ଡ୍ୟାମର ବିକାଶ ପାଇଁ ଶିଳାନ୍ୟାସ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ହେବାକୁ ଯାଉଥିବା ଏହି ଦୁଇଟି ପ୍ରକଳ୍ପ ସ୍ଥାନରେ ପହଞ୍ଚି ଏହାକୁ ନିରୀକ୍ଷଣ କରିଛନ୍ତି ଜିଲ୍ଲାପାଳ ମନିଷା ବାନାର୍ଜୀ । ଏହି ଅବସରରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ନିଜ ପଞ୍ଚାୟତର ଅନେକ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଡ୍ୟାମର ସୋନ୍ଦର୍ଯ୍ୟକରଣ କରିବା ପାଇଁ ସବୁ ପ୍ରକାର ସହଯୋଗ କରିବାକୁ କଲେକ୍ଟର ପ୍ରତିଶ୍ରୁତି ଦେଇଥିବା ବେଳେ ଅଧିକାରୀମାନଙ୍କୁ ଶୀଘ୍ର କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଗାଇସିଲେଟ କଲେଜକୁ ମଧ୍ୟ ପରିଦର୍ଶନ କରିଥିଲେ । ଗାଇସିଲେଟ ବିଡିଓ ମନୋଜ ଦେବତା, ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ ସାହୁ, ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ ମୁନି, କନିଷ୍ଠ ଯନ୍ତ୍ରୀ ବିକାଶ ଅଢ଼ା, ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଅଭୟ ପ୍ରଧାନ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।