ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ସ୍ଥଗିତ ହେଲା ଆମରଣ ଅନଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତ ୨୫ତାରିଖରୁ ଆମରଣ ଅନଶନ ଏବଂ ପ୍ରତିବାଦ ସଭା ଭାରତୀୟ ବିକାଶ ପରିଷଦର ନେତୃତ୍ୱରେ ଚାଲିଆସିଥିଲା । ସୂଚନାଯୋଗ୍ୟ ଯେ, ଆର୍ଜିପଲ୍ଲୀ ଗ୍ରାମର ବସ୍ତିବାସିନ୍ଦାଙ୍କୁ ଘରଢ଼ିହ ପଟ୍ଟା ପ୍ରଦାନରେ ଛତ୍ରପୁର ତହସିଲ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ନେଇ ଆର୍ଜିପଲ୍ଲୀ ଗ୍ରାମଲୋକମାନେ ନାନା ହଇରାଣ ହନ୍ତସନ୍ତ ହେଲେଣି । ଏହାକୁ ବିରୋଧ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ବିକ୍ଷୋଭ କରିଆସିଥିଲେ । ଅନଶନ ୪ଦିନ ବିତିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ଅନୁସନ୍ଧାନ କରାଯାଇ ଆଜି ଆପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର ଅନଶନ ସ୍ଥଳକୁ ଆସି ୧୫ ରୁ ୨୦ ଦିନ ମଧ୍ୟରେ ନିୟମ ଅନୁଯାୟୀ ପଟ୍ଟା ପ୍ରଦାନ ବ୍ୟବସ୍ଥା କରିବୁ ବୋଲି କହିଥିଲେ ଏବଂ ଜିଲ୍ଲାପାଳଙ୍କ ନିଷ୍ପତି ପ୍ରକାରେ ଉପ-ଜିଲ୍ଲାପାଳ ଛତ୍ରପୁରଙ୍କ ନେତୃତ୍ୱରେ ଏକ ଫିଟମେଣ୍ଟ କମିଟି ଗଠନ କରାଯାଇ ପଟ୍ଟା ପ୍ରଦାନ ନିମନ୍ତେ ଯଥାଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ଘୋଷଣା କରିବା ପରେ ଅନଶନ ସ୍ଥଗିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.