ଅତାବିରା ଏନ୍‌ଏସି ୱାର୍ଡ଼ ନମ୍ୱର୍ ୧ କଂଗ୍ରେସ୍ କାଉନସିଲର ଦୀପକ୍ ରାୟଙ୍କ ଆର୍ଥିକ ସହାୟତା

ଅତାବିରା, (ସୁରେନ୍ଦ୍ର କୁମାର କଠାର) : ଭେଡେନ ବ୍ଲକ୍ ମାନପୁର୍ ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଛତ୍ରପତି ପଧାନ କଠିନ ଅଧ୍ୟବସାୟ ଆଗରେ ସବୁକିଛି ହାର ମାନିବା ଭଳି ୟୁଟ୍ୟୁବରୁ ପଢ଼ି ଡାକ୍ତର ହେବାର ସୁଯୋଗ ପାଇଛନ୍ତି । ଛତ୍ରପତି ଏସ୍‌ସିବିରେ ବିଡିଏସ୍ ପାଠ୍ୟକ୍ରମର
ତୃତୀୟ ବର୍ଷର ଛାତ୍ର । ଗତବର୍ଷଠାରୁ ସେ ମେଡିକାଲ୍ ପ୍ରବେଶିକା ପରୀକ୍ଷା ଦେଇ ଆସୁଛନ୍ତି । ୟୁଟ୍ୟୁବରୁ ପାଠ ପଢ଼ି ସେ ୨ ଥର ପରୀକ୍ଷା ଦେଇଥିବା ବେଳେ ଗତବର୍ଷ ୫୪୩ ନମ୍ବର ରଖିଥିଲେ । ଏସ୍‌ଏସ୍ କଟ୍ଅପ୍ ୫୪୨ ନମ୍ବର ଯାଇଥିଲା । କାଉନସିଲିଂ ପାଇଁ ନାଁ ବି ଆସିଲା । କିନ୍ତୁ ଟିସି ନ ମିଳିବାରୁ ସେ କାଉନସେଲିଂରେ ଭାଗ ନେଇ ପାରିଲେ ନାହିଁ । ବିଡିଏସ୍‌ରେ ନାମଲେଖା ବେଳେ ସେ ବଣ୍ଡ ସାଇନ୍ କରିଥିବା ୧ ଲକ୍ଷ ଟଙ୍କା ସହ ରିଆଡ୍‌ମିସନ୍ ଓ ଛାତ୍ରାବାସ ଟଙ୍କା ବାବଦକୁ ମୋଟ ୨ ଲକ୍ଷରୁ ଅଧିକ ଟଙ୍କା ପୈଠ କରିବା ପରେ ହିଁ ଟିସି ମିଳିଥାଏ । କିନ୍ତୁ ସେ ଟଙ୍କା ଛତ୍ରପତି ଦେଇପାରି ନଥିଲେ । ଛତ୍ରପତିଙ୍କ ବାପା ଆଦିତ୍ୟ ପ୍ରଧାନ ଶ୍ରମିକ ରୂପେ କାମ କରୁଥିବା ବେଳେ ମା’ ପଦ୍ମା ପ୍ରଧାନ ଘରେ ଜଳଖିଆ ଦୋକାନ ଦେଇଛନ୍ତି । ସେମାନଙ୍କ ପକ୍ଷରେ ଏତେ ଟଙ୍କା ଦେବା ଅସମ୍ଭବ ଥିଲା । ଛତ୍ରପତିଙ୍କ ପାଖରେ ଖାଇବା ପାଇଁ ମଧ୍ୟ ଠିକ୍‌ରେ ଟଙ୍କା ମିଳି ପାରୁ ନଥିଲା । ଏବର୍ଷ ମଧ୍ୟ ଛତ୍ରପତି ମେଡିକାଲ୍ ପ୍ରବେଶିକା ପରୀକ୍ଷା ଦେଇଥିଲେ । ଏବର୍ଷ ପ୍ରବେଶିକାରେ ୫୮୧ ମାର୍କ ରଖିଥିବା ବେଳେ ଏସ୍‌ଏସ୍ ମାନ୍ୟତା ୮୨ ରହିଛି । ଏଥର ବି ଅର୍ଥ ତାଙ୍କ ପାଇଁ ବାଧକ ସାଜିଛି । କଲେଜରୁ ଟିସି ମିଳିପାରିଲେ ସେ କାଉନସେଲିଂରେ ଭାଗ ନେଇପାରିବେ । ସେଥିପାଇଁ କଲେଜକୁ ୨ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିବ । ତାଙ୍କ ବିଷୟରେ ଜାଣିବା ପରେ ଅତାବିରା ଏନ୍.ଏ.ସି. ୱାର୍ଡ଼ ନମ୍ବର ୧ କଂଗ୍ରେସ୍ କାଉନସିଲର ଦୀପକ୍ ରାୟ ତାଙ୍କୁ ୫୦ ହଜାର ଟଙ୍କା ସାହାଯ୍ୟ କରିଛନ୍ତି ।

Leave A Reply

Your email address will not be published.