ଅମୃତ ସରୋବରରେ ମେସିନ ଦ୍ୱାରା କାମ ଓ ରୟତି ଜମିରେ ମନରେଗା ପୋଖରୀ ଖନନ ଅଭିଯୋଗ ଉଠାଇଲେ ସମିତି ସଭ୍ୟା : କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ପ୍ରଶାସନର ନିର୍ଦ୍ଦେଶ
ସଇଁତଲା, (ପ୍ରମୋଦ ସେଲମା) : ସରକାର ମନରେଗା ଯୋଜନା ମାଧ୍ୟରେ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ ବ୍ୟକ୍ତିଗତ ଓ ସାମୁହିକ ପ୍ରକଳ୍ପଗୁଡିକ ହାତକୁ ନେଇ ନୂତନ କାର୍ଯ୍ୟ କରାଯିବା ସହିତ ପୁରାତନ କାର୍ଯ୍ରଗୁଡିକର ରକ୍ଷଣାବେକ୍ଷଣ ପୁନଃଉଦ୍ଧାର ଭଳି କାଯ୍ୟ କରାଯାଉଥିବା ବେଳେ ମନରେଗା କାର୍ଯ୍ୟ ବାରମ୍ବାର ନିୟମ ଉଲଘଂନ ହେଉଥିବା ସହ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଅଛି । ତଥାପି ମଧ୍ୟ ପ୍ରଶାସନିକ ଅବହେଳା ଓ ମଧୁଚନ୍ଦ୍ରିକା ମଧ୍ୟରେ ସମସ୍ତ ଅଭିଯୋଗକୁ ଘଣ୍ଟ ଘୋଡାଇବା ଯୋଗୁଁ ରହିଯାଉଛି । ଯାହା ଫଳରେ ମନରେଗା ଏକ ଦୁର୍ନୀତିଗ୍ରସ୍ତ ପ୍ରକଳ୍ପ ଭାବେ ପରିଚିତ ହୋଇସାରିଲାଣି । ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କନ୍ଧକେଲଗାଁ ପଞ୍ଚାୟତରେ ହୋଇଥିବା ଖୋଦ ସ୍ଥାନୀୟ ସମିତି ସଭ୍ୟା ବନିତା ସାହୁ ଲିଖିତ ଅଭିଯୋଗ ଉଠାଇଛନ୍ତି । ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଛନକା ପଶିଥିବା ଚର୍ଚ୍ଚା ଜୋର ଧରିଛି । ଅଭିଯୋଗରୁ ପ୍ରକାଶ ଯେ, କନ୍ଧକେଲଗାଁ ପଞ୍ଚାୟତରେ ଦୀର୍ଘ ଦିନ ହେବ ମନରେଗା ଯୋଜନାରେ ବ୍ୟାପକ ଅର୍ଥ ବ୍ୟୟ କରି ବାହାବା ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଅନେକ ଯୋଜନାରେ ଅନିୟମିତତା ହେଉଥିବା ଜନସାଧାରଣଙ୍କ ନଜରକୁ ଆସୁଛି । ଏଥିରେ ଉଲ୍ଲେଖ କରାଯାଇଥିବା ପ୍ରକଳ୍ପ ମଧ୍ୟରେ ପଞ୍ଚାୟତର ଜଳିଆଦର୍ହ ଗ୍ରାମରେ ଦେଝାରମୁଣ୍ଡା, ମୁକ୍ତାମୁଣ୍ଡା ପୋଖରୀ ଓ ଅନ୍ଧାରିଖମନଠାରେ ନବ ନିର୍ମିତ ପୋଖରୀ ଖନନ କାର୍ଯ୍ୟଟି ସାମୁହିକ ହେଉଥିଲେ ସୁଦ୍ଧା ଏକ ବ୍ୟକ୍ତିଗତ ରୟତି ଜମିରେ ଚଞ୍ଚକତା କରି କାର୍ଯ୍ୟ କରାଯାଉଥିବା ନଜରକୁ ଆସିଛି । ଯାହା ମନରେଗା ଆଇନର ପରିପନ୍ଥୀ ଅଟେ । ଏହି ଯୋଜନାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ପରେ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ସାହୁ ଏହାର ତଦନ୍ତ କରିବା ପାଇଁ ବିଡ଼ିଓଙ୍କଠାରେ ଅଭିଯୋଗ କରିଛନ୍ତି । ସେହିପରି କନ୍ଧକେଲଗାଁ ତଳିବନ୍ଧରେ ମନରେଗା ଯୋଜନାରେ ସାମିଲ କରାଯାଇଥିବା ଅମୃତ ସରୋବରର ଉନ୍ନତିକରଣ କାର୍ଯ୍ୟ ପାଇଁ ଜେସିପି ମେସିନ ଓ ଟ୍ରାକ୍ଟରର ସହାୟତାରେ କାର୍ଯ୍ୟ ହେଉଥିବାକୁ ନେଇ ଶ୍ରୀମତୀ ସାହୁ ଅଭିଯୋଗ ଉଠାଇନ୍ତି । ଏହାଦ୍ୱାରା ନକଲି ଶ୍ରମିକମାନଙ୍କ ନାମରେ ମଷ୍ଟର ରୋଲ ତିଆରି କରି ମୋଟା ଅଙ୍କର ଅର୍ଥ ଉଠାଣ କରି ଆତ୍ମସାତ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେବା ସହ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ନେଇ ବର୍ତମାନ କନିଷ୍ଠ ଯନ୍ତ୍ରୀ, ଜିଆର୍ଏସ୍ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଥିବା ଚର୍ଚ୍ଚା ହେଉଛି ।