ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରେ ହେଲାଣି ଗାତ, ରାସ୍ତା ଉପରୁ ବାହାରିଲାଣି ଲୁହା ଛଡ଼ : ପ୍ରଶାସନ ଦୃଷ୍ଟି ପାଇଁ ସାଧାରଣରେ ଦାବୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯ ଏପ୍ରିଲ ୨୦୨୧ ମସିହାରେ ଜନ ସାଧାରଣଙ୍କ ନିମନ୍ତେ ଲୋକାର୍ପିତ ହୋଇଥିଲା । ଏହି ରେଳ ଓଭରବ୍ରିଜ ଲୋକାର୍ପଣ ହେବା ପରେ ଟିଟିଲାଗଡ ସହରର ଗୋଟିଏ ପ୍ରମୁଖ ସମସ୍ୟାର ସମାଧାନ ହୋଇପାରିଛି । ଏହି ଓଭରବ୍ରିଜ ନିର୍ମାଣ ନ ହେବା ପୂର୍ବରୁ ରେଳ ଚଳାଚଳ ପାଇଁ ହାଟପଦାପଡ଼ା ରେଳ ଫାଟକ ପଡିବା ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଥିଲେ ।

ରେଳ ଓଭରବ୍ରିଜ ନିର୍ମାଣ ହେବାର ଦୁଇ ବର୍ଷ ବିତିଯାଇଛି, ଏବେ ରେଳ ଫାଟକ ଥିବା ଉପର ପାର୍ଶ୍ଵରେ ଏକ ବଡ଼ ଗାତ ହୋଇଗଲାଣି, ଟିକିଏ ଆଗକୁ କଂକ୍ରିଟ ହୋଇଥିବା ରାସ୍ତାର ଲୁହା ଛଡ଼ ବାହାରି ପଡ଼ିଲାଣି । ଏହି ରେଳ ଓଭରବ୍ରିଜ ଦେଇ ଦୈନନ୍ଦିନ ଶହ ଶହ ଗାଡି ଯିବା ଆସିବା କରୁଥିବା ବେଳେ ସେହି ଗାତରେ ପଡ଼ିଯାଇ ବହୁତ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି, ଅନ୍ୟ ପଟେ ବଡ଼ ବଡ଼ ଗାଡ଼ିର ଚକ ଗାତରେ ପଡ଼ି ଧୀରେ ଧୀରେ ଗାତ ବଡ଼ ହେବାରେ ଲାଗିଛି, ସେହିପରି କଂକ୍ରିଟ ରାସ୍ତାରୁ ଛଡ଼ ବାହାରିବା ଯୋଗୁଁ ତାହା ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏଥିପାଇଁ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବା ସହ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି । ନହେଲେ ଯଦି ଭାଗ୍ୟ କାହାର ଖରାପ ଥିବ ତାହେଲେ ଦୁର୍ଘଟଣା ଘଟି ଜୀବନ ଯିବାର ମଧ୍ୟ ଭୟ ରହିଛି । ସେମିତିବି ସହରବାସୀଙ୍କ ସବୁଠୁ ପ୍ରିୟ ସ୍ଥାନ ଏହି ରେଳ ଓଭରବ୍ରିଜ ପାଲଟିଛି । ସ୍ଥାନୀୟ ଲୋକ ନିଜର ପରିବାର ସହିତ ବାଇକ ଯୋଗେ ବ୍ରିଜ ଉପରେ ଖୁସିରେ ବୁଲିବା ପାଇଁ ଆସିଥାନ୍ତି । ଖୁସି ଯେଭଳି ଦୁଃଖରେ ପରିଣତ ନ ହେଉ, ସେଥିପାଇଁ ଯଥା ଶୀଘ୍ର ମରାମତି ନିହାତି ଆବଶ୍ୟକ ।

jittmm
Leave A Reply

Your email address will not be published.