କ୍ୟାନସର ସଚେତନତା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍, କଟକର ମିଳିତ ଆନୁକୂଲ୍ୟରେ କର୍କଟ ରୋଗ ସଚେତନତା ଶିବିର ହୋଟେଲ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ପୁଷ୍ପା ଲେଙ୍କାଙ୍କ ସଭାପତିତ୍ୱ, ଆବାହକ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱ ତଥା କବି କୁଞ୍ଜବିହାରୀ ରାଉତଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ସିନୋଭା କ୍ୟାନସର ହସପିଟାଲର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍କଟ ରୋଗର କାରଣ ଓ ନିରାକରଣ ଉପରେ ଆଲୋଚନା କରିବା ସହ ପ୍ରୋଜେକ୍ଟର ମାଧ୍ୟମରେ ଏହାର ସରଳିକରଣ କରିଥିଲେ । ଏହି ଅବସରରେ ଡାକ୍ତର ମିଶ୍ର କ୍ୟାନସର ସଚେତନତା ସଂପର୍କରେ ଆଲୋଚନା କରି କହିଲେ ଯେ, କ୍ୟାନସର ଆଦୌ ଡିଆଁ ରୋଗ ନୁହେଁ । ତମାଖୁ ଯେତେ ବ୍ୟବହାର ନକରିବ ସେତେ ସ୍ୱାସ୍ଥ୍ୟ ପାଇଁ ନିରାପଦ । ତେବେ କ୍ୟାନସରର କାରଣର ୭ଟି ମୁଖ୍ୟ ଲକ୍ଷଣ ନେଇ କହିଲେ ଯେ, ଝାଡା ଓ ପରିସ୍ରା ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ, ଉପଶମ ହେଉ ନଥିବା ଘା, ଅସ୍ୱାଭାବିକ ରକ୍ତସ୍ରାବ, ସ୍ତନ କିମ୍ବା ଅନ୍ୟ କେଉଁଠି ମାଂସ ପିଣ୍ଡୁଳା (ଉଭୟ ନାରୀ ଓ ପୁରୁଷ)ଙ୍କ ପାଇଁ, ବଦହଜମି କିମ୍ବା ଗିଳିବାରେ କଷ୍ଟ, ଭାତୁଡି ବା କଳାଯାଇର ପରିବର୍ତ୍ତନ, ବାରମ୍ବାର କାଶ ବା ସ୍ୱର ଗମ୍ଭୀରତା ଆଦି ଏହାର ଲକ୍ଷଣ ହୋଇଥିବା ବେଳେ ମୁଖ କର୍କଟ ପାଇଁ ପାନ, ଗୁଆ, ଜର୍ଦ୍ଦା, ଗୁଡାଖୁ ପ୍ରମୁଖ ଛାଡିବା ଉଚିତ୍ । କ୍ୟାନସର କେହି କହିଦେଲେ ହୁଏ ନାହିଁ, ଏଥିପାଇଁ ମାଁସ ପରୀକ୍ଷା ଅନିର୍ବାର୍ଯ୍ୟ । କୌଣସି ଜାଗାରେ ଆବୁ ବା ମାଁସ ପିଣ୍ଡୁଳା ବଢିଲା ତେବେ ଏହା କ୍ୟାନସର ଲକ୍ଷଣ ହୋଇପାରେ । ଏନେଇ ଡ. ମିଶ୍ର କାର୍ସିନୋଭା କର୍କଟ ହସପିଟାଲ୍‌ର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ମତ ସ୍ପଷ୍ଟ କରିଥିଲେ । ଅର୍ଥନୈତିକ ଦୁର୍ବଳତା ଓ ସରକାରଙ୍କ ଦ୍ୱାରା ଅବହେଳିତ ହୋଇଥିବା ରୋଗୀଙ୍କୁ ସେବା ଯୋଗାଇ ଦେବା ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ପ୍ରମୁଖ ଅନୁଷ୍ଠାନର ବାସନ୍ତୀ ପାଠାଗାର, ଗୋପବନ୍ଧୁ ପାଠାଗାର, ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ, ସହର ସେବା ସମିତି, ସରଳା ଦେବୀ ସ୍ମୃତି ସଂସଦ, ପ୍ରୟାସ, ସଚେତନ ନାଗରିକ ମଞ୍ଚ, ଉଦିତ୍‌ନଗର ହାଇସ୍କୁଲ ଆଲୁମନି ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ହସପିଟାଲର ସୂଚନା ଓ ଲୋକ ସଂପର୍କ ଅଧିକାରୀ କିଶୋର ଚନ୍ଦ୍ର ରଥ ଓ ସହରସେବା ସମିତିର ବରିଷ୍ଠ ସଦସ୍ୟ ରାଜୀବ ସିଂ, ଚନ୍ଦ୍ରଶେଖର ପାଢୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଡାକ୍ତର ମିଶ୍ର ଆଇଏମ୍‌ଏ, ରାଉରକେଲା ଶାଖା ତରଫରୁ ଆର୍‌ଜିଏଚ୍‌ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କର୍କଟ ରୋଗ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଡାକ୍ତର ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଭାପତିତ୍ୱ କରୁଥିବା ଶ୍ରୀମତୀ ଲେଙ୍କା ସଭାପତିତ୍ୱ ଅଭିଭାଷଣ ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସଂଯୋଜକ ଶ୍ରୀ ରାଉତ ଅତିଥିଙ୍କ ପରିଚୟ, କାର୍ଯ୍ୟକ୍ରମ ସଂଯୋଜନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.