ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ପୁଣି ଚୋରି ଅଭିଯୋଗ : କଡା ସୁରକ୍ଷା ଭିତରରେ ଚୋରିକୁ ନେଇ ପ୍ରଶ୍ନବାଚୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ଟାଇପ ୨ ଫେଜ ୩ କଲୋନୀରୁ ପୁଣି ଗତ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଏହି କଡା ସୁରକ୍ଷା ପରିସରରେ ଥିବା ଡ଼ିଏସ୍‌ସି, ପ୍ରାଇଭେଟ ସିକ୍ୟୁରିଟି ଓ ସ୍ଥାନୀୟ ପୋଲିସ ବିଭାଗ ଥାଇ ମଧ୍ୟ ଦୁର୍ବୃତ୍ତମାନେ ସରକାରୀ କ୍ୱାଟରକୁ ପଶି ବାରମ୍ବାର ଚୋରି କରୁଥିବାରୁ ଘଟଣାକୁ ନେଇ ସମସ୍ତଙ୍କ ଧନ ଜୀବନ ପ୍ରତି ଭୟ ସୃଷ୍ଟି କରୁଛି । ବର୍ତମାନ କାରଖାନାର କଡା ସୁରକ୍ଷା ଭିତରକୁ କିପରି ଦୁର୍ବୃତ୍ତମାନେ ଗଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଘଟଣାସ୍ଥଳକୁ ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଲା ଆଇଆଇସି ଅବନୀ ସାହୁ, ପିଏସ୍‌ଆଇ କାଜଲ ବାଗ ଓ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ପହଂଚି ଚୋରିର ଖୋଡ଼ତାଳ ଆରମ୍ଭ କରିଛନ୍ତି । ଏନେଇ ପୋଲିସ ପୂର୍ବରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଏହି ବଡ଼ମାଳ କାରଖାନାର ଅନେକ କର୍ମଚାରୀମାନେ ବାହାରୁ ଆସି ସରକାରୀ କ୍ୱାଟରରେ ରହୁଥିବା ବେଳେ ଶନିବାର, ରବିବାର ଛୁଟି ହେଲେ ଗାଁକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗତ ୧୬ ତାରିଖ ରବିବାର ଦିନ ବିଳମ୍ବିତ ରାତିରେ ବିଜୟ ସାହୁ, ଜୟଦେବ ନାଗଙ୍କ ଘରକୁ ପଶି ସୁନା ରୁପା ଟଙ୍କା ଆଦି ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ସପ୍ତାହେ ନ ପୁରୁଣୁ ପୁଣି ଗତ ଶନିବାର ଦିନ ଟାଇପ ୨ ଫେଜ ୩ କଲୋନୀରେ ରହୁଥିବା ତ୍ରିନାଥ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ଘରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଆବାସ ପତ୍ର ଫିଙ୍ଗା ଫିଙ୍ଗି କରି ଚୋରି କରିଥିବା ଜଣାଯାଇଛି । ଏଥିରେ ତ୍ରିନାଥ ନିଜ ପରିବାର ସହ ବେଙ୍ଗାଲୁରୁ ଯାଇଥିବା ବେଳେ ପ୍ରଶାନ୍ତ ବେହେରା କିଛି ଦିନ ହେଲା କ୍ଵାଟରକୁ ଖାଲି କରି ସଇଁତଲାସ୍ଥିତ ନିଜ ଘରକୁ ସମସ୍ତ ଆବାସ ପତ୍ର ଆଣି ରହିଥିବା ବେଳେ କ୍ଵାଟରରେ ଚୋରମାନେ କିଛି ନପାଇ ତ୍ରିନାଥଙ୍କ ଘରକୁ ପଶି କିଛି ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ କେହି ନ ଥିବାରୁ କେତେ କଣ ଚୋରି ହୋଇଛି ତାହା ଜଣାପଡୁନାହିଁ । ତ୍ରିନାଥଙ୍କ ପରିବାର ଲୋକେ ଆସି ଦେଖିବା ପରେ ଚୋରି ହୋଇଛି କି ନାହିଁ ତାହା ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ପୋଲିସ ଦୁର୍ବୃତ୍ତମାନଙ୍କ କୌଣସି ସୁରାଗ ପାଇ ପାରୁନଥିବାରୁ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଣୁ କାରଖାନା ପରିସରରେ ରାତ୍ରି ସମୟରେ ସିକ୍ୟୁରିଟି ବିଭାଗ ଓ ପୋଲିସ କଡାକଡ଼ି ପେଟ୍ରୋଲିଂ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.