ଟ୍ରକକୁ ଧକ୍କା ଦେଲା କାର, ଅଢେଇ ଟନ୍‌ ଟମାଟୋ ଲୁଟି ନେଇ ଫେରାର୍‌ ହୋଇଗଲେ କାର୍‌ ଆରୋହୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ଠାରେ ଟ୍ରକରୁ ଟମାଟୋ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଅଛି । ଟମାଟୋ ନେଇ ଯାଉଥିବା ଏକ ଟ୍ରକକୁ ଗୋଟିଏ କାର ଧକ୍କା ଦେଇଥିଲା । ଆଉ ଦୁର୍ଘଟଣା ପରେ କାରରେ ଥିବା ଯୁବକମାନେ ଟ୍ରକରୁ ଅଢେଇ ଟନ୍‌ ଟମାଟୋ ନେଇ ଫେରାର୍‌ ହୋଇଯାଇଛନ୍ତି । ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବେଙ୍ଗାଲୁରୁର ଚିକ୍କାଜାଲା ନିକଟରେ ଏହି ଘଟଣା ଘଟିଛି । ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ଚିତ୍ରାଦୂର୍ଗା ଜିଲ୍ଲାର ହିରିୟୋର୍‌ର ଜଣେ କୃଷକ ମଲେଶ ଶନିବାର ଏକ ଟ୍ରକରେ ଟମାଟୋ ଲୋଡ୍ କରିବା ପରେ କୋଲାର୍‌ ଯାଉଥିବା ବେଳେ ହଠାତ୍ ଟ୍ରକ୍‌ର ଏକ କାର ସହିତ ମୁହାମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଅଭିଯୁକ୍ତମାନେ ଯାଉଥିବା କାରର କାଚ ଭାଙ୍ଗି ଯାଇଥିଲା ।

ଏହାପରେ ଅଭିଯୁକ୍ତମାନେ ଚାଷୀ ଓ ଟ୍ରକ ଡ୍ରାଇଭରକୁ ଦୁର୍ବ୍ୟବହାର କରିବା ସହ କ୍ଷତିପୂରଣ ଦାବିକରି ଲକ୍ଷାଧିକ ଟଙ୍କା ମାଗିଥିଲେ । ଉଭୟଙ୍କ ପାଖରେ ଟଙ୍କା ନଥିବାରୁ ଅଭିଯୁକ୍ତମାନେ ଟ୍ରକକୁ ବଳପୂର୍ବକ ନେଇ ପଳାଇ ଯାଇଥିଲେ । ଟ୍ରକରେ ପ୍ରାୟ ଅଢେଇ ଟନ୍ ଟମାଟୋ ଥିଲା ଯାହାର ମୂଲ୍ୟ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କା ହେବ । ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.