ଭୁଜାଲିରେ ହାଣି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ତେଲକୋଇ : ସ୍ପଷ୍ଟ ଦିବାଲୋକରେ ଗୋରୁ ବ୍ୟବସାୟୀଙ୍କୁ ବନ୍ଧୁକ ମୁନ ଓ ଭୁଜାଲିରେ ହାଣି ୨ ଲୁଟେରା ଲକ୍ଷେ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣା ଆଜି ସକାଳ ସମୟରେ ତେଲକୋଇ ଥାନା ଅଞ୍ଚଳର ଦୋବଲାପାଳ ଓ ଚନ୍ଦ୍ରଶେଖରପୁର ଗ୍ରାମ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଅନତି ଦୂରରେ ଘଟିଥିବା ଜଣାପଡ଼ିଛି । କେନ୍ଦୁଝର ରାଙ୍କୀ ଅଞ୍ଚଳର ୩୮ ବର୍ଷୀୟ ଆଲୋକ ପଳେଇ ଓ ୪୯ ବର୍ଷୀୟ ଅମୀୟ କୁମାର ବାରିକ ଏହି ଲୁଟ୍‌ର ଶିକାର ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ତେଲକୋଇ ଥାନା ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ସୂଚନା ମୁତାବକ, ଆଲୋକ ଓ ଅମୀୟ ଗୋରୁ ବ୍ୟବସାୟୀ ହୋଇଥିବା ବେଳେ ଉଭୟ ଏକ ମୋଟର ସାଇକେଲ ଯୋଗେ ଟଙ୍କା ଧରି ଛାମୁଣ୍ଡା ଅଭିମୁଖେ ଆସୁଥିଲେ । ତେଲକୋଇରେ ପହଞ୍ଚି ଜଳଖିଆ କରି ଛାମୁଣ୍ଡାକୁ ଯାଉଥିବା ସମୟରେ ଚନ୍ଦ୍ରଶେଖରପୁର ଗ୍ରାମ ପୂର୍ବରୁ ଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ହୋଣ୍ଡା ୟୁନିକନ୍ ବାଇକ୍‌ରେ ଦୁଇ ଜଣ ଯୁବକ ମୁଖା ପିନ୍ଧିଥିବା ବେଳେ ଦୃତ ଗତିରେ ଆସି ସେମାନଙ୍କୁ ଅଟକାଇଥିଲେ । ସଙ୍ଗେ ସଙ୍ଗେ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟି ନେଇ ପୁଣି ତେଲକୋଇ ଅଭିମୁଖେ ଚମ୍ପଟ୍ ମାରିଥିଲେ । ଲୁଟରାଙ୍କୁ ଆଲୋକ ଓ ଅମୀୟ ପ୍ରତିବାଦ କରିବାକୁ ଚେଷ୍ଠା କରିଥିଲେ ସୁଦ୍ଧା ଆକ୍ରମଣରେ ଶିକାର ହେବା ପରେ ସଫଳ ହୋଇନଥିଲେ । ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ।

Leave A Reply

Your email address will not be published.