ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ, ସମ୍ପାଦିକା, ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ, କସ୍ତୁରୀ ମହାପାତ୍ର ଉପସ୍ଥିତ ଥିଲେ । ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଓ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଅତିଥି ଭାବରେ ଯୋଗ ଦେଇ ସାମ୍ବାଦିକମାନଙ୍କୁ ଏହି ସୁବିଧାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ ।

୫ଟି ନୀତି ଆଧାରିତ ଏହି ପୋର୍ଟାଲ ମାଧ୍ୟମରେ ବରଗଡ଼ ଜିଲ୍ଲାର ବ୍ଲକ ସ୍ତରରେ ଏବଂ ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଭାଇମାନେ ବିଶେଷ ଭାବରେ ଉପକୃତ ହେବା ସହିତ ସମସ୍ତେ ସୁବିଧାରେ ନିଜର ଦରଖାସ୍ତ ଆବେଦନ କରି ପାରିବେ । ଲୋକାଭିମୁଖୀ ଏହି ଯୋଜନାରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ଦୁର୍ଘଟଣାଜନିତ ଅକ୍ଷମତା, ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ଆବେଦନ କରି ପାରିବେ । ନିଜ ଦରଖାସ୍ତର ସ୍ଥିତି ସମ୍ପର୍କରେ ଜାଣି ପାରିବା ସହିତ ଘରେ ବସି ଆବଶ୍ୟକୀୟ ପରିବର୍ତ୍ତନ ମଧ୍ୟ କରି ପାରିବେ ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ପରିଚାଳନା କରିବା ସହିତ ଜିଲ୍ଲାର ଛାପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.