ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହରିରାଜପୁର ଗ୍ରାମ ପଞ୍ଚାୟତ ଅଧୀନ ଭଅଁସର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ସ୍କୁଲ ଏସ୍ ଆଇ ପ୍ରହଲ୍ଲାଦ ସ୍ୱାଇଁ ଏବଂ ବର୍ତ୍ତମାନର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କ ଶିକ୍ଷକତା ଜୀବନ ଓ ସୁଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ସେହିପରି ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବାରେ ଖାଲି ଶିକ୍ଷକ ଶିକ୍ଷୟିତ୍ରୀ ନୁହଁନ୍ତି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ସମସ୍ତଙ୍କର ମିଳିତ ସହଯୋଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ପିଲାମାନଙ୍କୁ ପ୍ରାରମ୍ଭରୁ ଭଲ ମଣିଷ କରି ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ଆମନ୍ତ୍ରିତ ଅତିଥି ଭାବେ ଶିକ୍ଷକ ବାଳାନିଧି ସାହୁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ସାହୁ, ଶିକ୍ଷୟିତ୍ରୀ କ୍ଷିରୋଦିନୀ ଶତପଥୀ ଓ ଗୀତାଞ୍ଜଳି ଶତପଥୀ ଯୋଗଦେଇ ଗୁରୁ ଗୁରୁଜନମାନେ ହିଁ ଦ୍ଵିତୀୟ ଈଶ୍ୱର ବୋଲି ଅଭିହିତ କରିବା ସହ ପିଲାମାନେ ସେମାନଙ୍କ କଥା ମାନି ଚଳିବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ବରିଷ୍ଠ ଶିକ୍ଷକ ବୈକୁଣ୍ଠ ବିହାରୀ ପ୍ରଧାନ ଓ ଶିକ୍ଷୟିତ୍ରୀ ଅଞ୍ଜଳି ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସିଆର୍ସିସି ପ୍ରଦୀପ୍ତ ବଳିଆରସିଂହ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁକାନ୍ତ ଚନ୍ଦ୍ର ବେହେରା, ସଭ୍ୟ ଦେବେନ୍ଦ୍ର ଦାସ, ଅନ୍ୟାନ୍ୟ ଅଭିଭାବକ, ମାତୃ କମିଟି ସଭ୍ୟାମାନେ ସଭାରେ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ ଓ ଉତ୍ସାହିତ କରିଥିଲେ । ବିଦାୟୀ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶୁଭେଚ୍ଛୁମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ସ୍ୱାଗତ ଓ ବିଦାୟ ସଂଗୀତ ବିଦ୍ୟାଳୟ ପରିସରରେ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥିଲା । ଉତ୍ସବ ପରିଚାଳନାରେ ସହଯୋଗ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁକାନ୍ତ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post