csstore

ଫିରଙ୍ଗିମାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ପାଳନ କରି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ଏହା ସମଗ୍ର ରାଜ୍ୟରେ ପାଳନ ହେଉଥିବା ବେଳେ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ସମ୍ମାନିତ ଅତିଥି ସ୍ଥାନୀୟ ସମିତି ସଭ୍ୟ ରତନ ବରିହା, ଜଙ୍ଗଲ ବିଭାଗ କର୍ମଚାରୀ ଶାନ୍ତନୁ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ମେହେର ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଦଣ୍ଡସେନାଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସହକାରୀ ଶିକ୍ଷକ ହେମନ୍ତ କୁମାର ବାରିକ ସ୍ୱାଗତ ଭାଷଣ ଦେଇଥିଲେ । ଅତିଥିମାନେ ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଏ । ଜୀବ ଜଗତ ବଞ୍ଚି ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ । ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ । ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ । ତେଣୁ ଗଛ ଲଗାନ୍ତୁ ଓ ଜୀବନ ବଞ୍ଚାନ୍ତୁ ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ଏହି ସ୍କୁଲ ମାଟ୍ରିକ ଫଳାଫଳକୁ ନେଇ ଲଗାତାର ୩ ଥର ପୁରସ୍କୃତ ହୋଇ ୨୦୨୨ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିବାରୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ପରେ ସ୍କୁଲ ପରିସରରେ ବୃକ୍ଷ ପୂଜନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬୦ରୁ ଅଧିକ ବିଭିନ୍ନ ପ୍ରଜାତିର ଗଛ ଲଗାଇ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ଉଦେ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଘନଶ୍ୟାମ ଥନାପତି, ସହଦେବ ସାହୁ, ଭାଗ୍ୟବାନ ସା, ସୁବାସ ବରିହା, ଅର୍ଜୁନ ସାହୁ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଛେଲିଆ ପୋଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.