ଇନର ହୁଇଲର ରକ୍ତଦାନ ଶିବିର ଓ ପରିବେଶ ସୁରକ୍ଷା ବିକାଶ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନନ୍ଦିନ ଜୀବନରେ ଆମେ ଅନେକ ଜିନିଷ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ । ସେହି ବସ୍ତୁକୁ ପୁନଃବ୍ୟବହାର କରି ଅନେକ ସୁନ୍ଦର ଆବଶ୍ୟକୀୟ ଉପକରଣ ତିଆରି କରାଯାଇପାରିବ ଓ ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବ । ଏହି ଜିରୋ ଓଏଷ୍ଟ ବାର୍ତ୍ତାକୁ ନେଇ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଗୋଲଘର ସିଂହାସିନୀପଲୀ ଓ ଗଂଜାମପଲୀ ମହିଳା ଆରୋଗ୍ୟ ସମିତିର ମହିଳାମାନଙ୍କ ସହ ଆୟୋଜନ କରାଯାଇଥିଲା । ଏତଦ୍‌ଦ୍ଵାରା ପ୍ରେରିତ ହୋଇ ମହିଳାମାନେ ନିଜ ଘରୁ ବାହାରୁଥିବା ପୁରୁଣା ଅବ୍ୟବହୃତ ପଦାର୍ଥମାନଙ୍କ ସାହାଯ୍ୟରେ ନାନାଦି ବ୍ୟବହାର ଉପଯୋଗୀ ବସ୍ତୁ ନିର୍ମାଣ କରିଥିଲେ । ଶୁଖିଲାପତ୍ର ଓ ପରିବାଚୋପାକୁ ନଫିଙ୍ଗି, ଗଛମୂଳରେ ଦେବାର ସାର ପ୍ରସ୍ତୁତ କରିଥିଲେ । ସମିତିର ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ଲାଷ୍ଟିକ ଓ ଜରି ସବୁ ଏଣେତେଣେ ନଫୋପାଡି ବୋତଲରେ ଭରି ସେଥିରେ ଉପକରଣମାନ କରାଯାଇପାରିବ ଓ ତଦ୍‌ଦ୍ୱାରା ପ୍ରଦୂଷଣ କମ୍ ହେବ ବୋଲି ବୁଝାଇ କୁହାଯାଇଥିଲା । କ୍ଲବ ସଭାପତି ପ୍ରମିଳା ମିଶ୍ର ସେମାନଙ୍କୁ ଉତ୍ସାହିତ କରିବାକୁ ଆଗକୁ ଆହୁରି ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି । ସଚିବ ମହିମା ମହାପାତ୍ର ଓ ପ୍ରକଳ୍ପ ଅଧ୍ୟକ୍ଷ ଗୌରୀ ନାଗଙ୍କ ସମେତ ପ୍ରାକ୍ତନ ସଭାପତି ଡଃ ମିନତି ପଣ୍ଡା, କାବେରୀ ବାନାର୍ଜୀ, ପ୍ରତିମା ମହାପାତ୍ର, ଅମ୍ରିତା ତ୍ରିପାଠୀ, ଅଜିତା ମହାନ୍ତି, ସିମରନଜିତ ଶେଖୋ, ଡଃ ତନୁଶ୍ରୀ ଜେନା, ଆରତି ଷଡଙ୍ଗୀ, ମମତା ପାଠୀ, ମଞ୍ଜୁବାଳା ପାଢୀ, ସବିତା ପଟ୍ଟନାୟକ, ଆରତୀ ପଣ୍ଡା, ଜ୍ୟୋତ୍ସ୍ନା ମିଶ୍ର ଓ ଡିମ୍ପଲ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଇନର ହୁଇଲର ନୂତନ ବର୍ଷ ଜୁଲାଇ ପହିଲାରେ କରାଯାଇଥାଏ । ଏହି ବର୍ଷ ପ୍ରଥମେ କ୍ଲବ ସଦସ୍ୟାମାନେ ଡାକ୍ତରମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଜ୍ଞାପନ କରି ଡାକ୍ତର ଦିବସ ପାଳନ କରିଥିଲେ ଏବଂ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ରକ୍ତଭଣ୍ଡାରରେ ରୋଟାରି କ୍ଲବମାନଙ୍କ ସହ ଏକ ମିଳିତ ରକ୍ତଦାନ ଶିବିର ଆୟୋଜନ କରିଥିଲେ, ଯେଉଁଥିରେ ଅନେକ ରୋଟାରିଆନ ଓ ଇନର ହୁଇଲ ମେମ୍ବର ରକ୍ତଦାନ କରିଥିଲେ ।

Leave A Reply

Your email address will not be published.