ଉପମହାପ୍ରବନ୍ଧକ ଅଜୟ କୁମାର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଅଜୟ କୁମାର ନାୟକ ପଦୋନ୍ନତି ପାଇ ଉପ ମହାପ୍ରବନ୍ଧକ ଭାବେ ମୁମ୍ବାଇଠାରେ ଯୋଗଦେବାକୁ ଯାଉଥିବାରୁ ରାଉରକେଲା ଷ୍ଟିଲ ଟାଉନସିପ ଶାଖା ତରଫରୁ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଉନସିପ ଶାଖାର ମୁଖ୍ୟ ସହକାରୀ ମହାପ୍ରବନ୍ଧକ ସରୋଜ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ଭାବେ ଶ୍ରୀ ନାୟକ ଓ ସୁଦୀପ୍ତା ନାୟକ ତଥା ଅତିଥି ଭାବେ ପ୍ରାକ୍ତନ ପ୍ରଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସମାଜସେବୀ ଡଃ ସୁମନ ଦତ୍ତ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କ ରାଉରକେଲା ରହଣୀର କାର୍ଯ୍ୟକାଳ ମଧ୍ୟରେ ବ୍ୟାଙ୍କକୁ କିପରି ଲୋକାଭିମୁଖି କରିପାରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ଶ୍ରୀ ନାୟକଙ୍କ ବ୍ୟକ୍ତିତ୍ୱ, ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ, ନିଷ୍ଠାପର ସେବା ମନୋବୃତ୍ତିକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଟକୃଷ୍ଣ ଶତପଥୀ, ସତ୍ୟରଂଜନ ବିନ୍ଧାଣୀ, ସଂଗୀତା ବାନାର୍ଜୀ, ଶକ୍ତି ନଗର ବ୍ରାଞ୍ଚର ମୁଖ୍ୟ ଅନୁପମା ଷଡଙ୍ଗୀ, ସ୍ୱାତୀ ମହାନ୍ତି, ସୁପୂର୍ଣ୍ଣା ମଲ୍ଲିକ ପ୍ରମୁଖ ଶ୍ରୀ ନାୟକଙ୍କ ସହ କାର୍ଯ୍ୟ କରିଥିବା ମୁହୁର୍ତ୍ତ ଗୁଡିକୁ ରୋମନ୍ଥନ କରିଥିଲେ । ଏହି ଅବସରରେ ସୁପର୍ଣ୍ଣା ଓ ସ୍ନିଥ୍ ଶ୍ରୀବାସ୍ତବଙ୍କ ପଦୋନ୍ନତି ପାଇଁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀନାୟକ ବ୍ୟାଙ୍କ ସହ ଭାବଗତ ସଂପର୍କ, କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ତଥା ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ତରଫରୁ ଶ୍ରୀମତୀ ଓ ଶ୍ରୀନାୟକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କବି ଶ୍ରୀ ରାଉତ ଓ ଡଃ ମଲ୍ଲିକ ଶ୍ରୀ ନାୟକଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଶ୍ରୀ ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.