ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ସଂସ୍ଥାଗତ ରୂପ ଦେଇଛି : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

  • କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧିକୁ ନେଇ ଗଣମାଧ୍ୟମକୁ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ମିଶନ କର୍ମଯୋଗୀ” କ୍ଷମତା ବିକାଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଏହାକୁ “ନିୟମ ଆଧାରିତ ଦୃଷ୍ଟିକୋଣ”ରୁ “ଭୂମିକା ଆଧାରିତ ଦୃଷ୍ଟିକୋଣ”ରେ ପରିଣତ କରିବ : ଡକ୍ଟର ଜିତେନ୍ଦ୍ର ସିଂ
  • ଜାତୀୟ ରୋଜଗାର ମେଳାରେ ଅଭିନବ ପରିବର୍ତ୍ତନ, ତଳୁ ଉପର ପର୍ୟ୍ୟନ୍ତ ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ଅଧିକ ଦୃଢ଼ କ୍ଷମତା ବିକାଶ ଓ ପ୍ରଶିକ୍ଷଣ ବ୍ୟବସ୍ଥା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତିର ଅଧିକ ବ୍ୟବହାର ଏବଂ ମନ୍ତ୍ରଣାଳୟ ପାଇଁ ଆଗକୁ ବଢ଼ିବା ଲାଗି ମୁକ୍ତ ବିଚାର ବିନିମୟ ନିମନ୍ତେ ନିୟମିତ “ଚିନ୍ତନ ଶିବିର” ଆୟୋଜନ କରାଯାଉଛି : ଡକ୍ଟର ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନବ ପରିକଳ୍ପନାରେ ଆୟୋଜନ କରାଯାଉଥିବା ରୋଜଗାର ମେଳା ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ସଂସ୍ଥାଗତ ରୂପ ଦେଇଛି ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ନେସନ ପ୍ରଶାସନ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ।
କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟର ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ, ପ୍ରଶାସନିକ ଏବଂ ସରକାରୀ ବ୍ୟବସ୍ଥାରେ ସଂସ୍କାର ଆଣିବା ସମୟରେ ଯୁବକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ରୋଜଗାର ମେଳା ଏକ ପ୍ରମୁଖ ତଥା ସାହସିକ ପଦକ୍ଷେପ। ଏହାବ୍ୟତୀତ ବିଭିନ୍ନ ଯୋଜନାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନର ସରକାରଙ୍କ ପରିଚୟ ପାଲଟିଛି ।
କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ରୋଜଗାର ମେଳା ଜରିଆରେ କେନ୍ଦ୍ର ସରକାର ଏବଂ ସହଯୋଗୀ ରାଜ୍ୟ ସରକାର ମିଶନ୍‌ ମୋଡ୍‌ରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିବେ ।
ଡକ୍ଟର ସିଂ ଆହୁରି କହିଥିଲେ ଯେ, ମେ ୨୦୨୩ରେ ଶେଷ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ଗତ ୯ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରାଥମିକତା ଦେଇ ଏହାକୁ ଦ୍ରୁତ, ପାରଦର୍ଶୀ ଓ ନିରପେକ୍ଷ କରିଛନ୍ତି। ପୂର୍ବରୁ ନିଯୁକ୍ତି ପ୍ରକ୍ରିୟାରେ ଦେଖା ଦେଉଥିବା ସମସ୍ୟା ବିଷୟରେ ସେ କହିଥିଲେ । ପୂର୍ବରୁ କର୍ମଚାରୀ ଚୟନ ବୋର୍ଡ ଦ୍ୱାରା ନୂଆ ନିଯୁକ୍ତି ପାଇଁ ପ୍ରାୟ ୧୫ରୁ ୧୮ ମାସ ଲାଗୁଥିଲା ଯାହାକି ଏବେ ୬ରୁ ୮ ମାସକୁ ହ୍ରାସ ପାଇଛି।
ଯୁବ କୈନ୍ଦ୍ରିକ ନିଯୁକ୍ତି ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରି ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ଗ୍ରୁପ୍‌‌ ବି ଅଣଗେଜେଟେଡ୍‌ ଏବଂ ତା’ଠାରୁ ନିମ୍ନ ପଦବୀ ପାଇଁ ସାକ୍ଷାତକାର ଉଚ୍ଛେଦ କରାଯାଇଛି । ଫଳରେ ଅଧିକ ପାରଦର୍ଶିତା ଆସିଛି । କାଗଜ ଆଧାରିତ ପରୀକ୍ଷା ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯାଉଛି। ବିଭିନ୍ନ ଏସଏସସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଞ୍ଚଳିକ ଭାଷାର ପ୍ରୟୋଗ କାରଣରୁ ଅଧିକ ସଂଖ୍ୟାରେ ଯୁବବର୍ଗ ସରକାରୀ ଚାକିରି କରିବା ପାଇଁ ଆବେଦନ କରୁଛନ୍ତି ।
ଡକ୍ଟର ସିଂ ଗତ ୯ ବର୍ଷ ମଧ୍ୟରେ ଆସିଥିବା ପ୍ରଶାସନିକ ସଂସ୍କାର ବିଷୟରେ ଉଲ୍ଲେଖ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ମିଶନ କର୍ମଯୋଗୀ” କ୍ଷମତା ବିକାଶରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଏହାକୁ “ନିୟମ ଆଧାରିତ ଦୃଷ୍ଟିକୋଣ”ରୁ “ଭୂମିକା ଆଧାରିତ ଦୃଷ୍ଟିକୋଣ”ରେ ପରିଣତ କରିବ।
କ୍ଷମତା ବିକାଶରେ ବିଶ୍ୱସନୀୟ ଓ ବ୍ୟବସ୍ଥିତ ଆଭିମୁଖ୍ୟ ପ୍ରତିଷ୍ଠା କରିବା ଲାଗି ‘କେପାସିଟୀ ବିଲ୍ଡିଂ କମିଶନ (ସିବିସି)’ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସିବିସି ଦ୍ୱାରା ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନ ପାଇଁ ଜାତୀୟ ମାନକର ଶୁଭାରମ୍ଭ କରାଯାଇଛି । ସେ କହିଥିଲେ, ପ୍ରତ୍ୟେକ କେନ୍ଦ୍ରୀୟ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ବାର୍ଷିକ କ୍ଷମତା ବିକାଶ ଯୋଜନା ବିକଶିତ କରିବା ଲାଗି ସିବିସି ସବୁ ମନ୍ତ୍ରଣାଳୟ/ବିଭାଗ/ସଂଗଠନକୁ ସହାୟତା ଯୋଗାଇ ଦେଉଛି ।
କାର୍ମିକ ପରିଚାଳନା ପାଇଁ ନୋଡାଲ ମନ୍ତ୍ରଣାଳୟ ଭାବେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ଡକ୍ଟର ସିଂ ସୂଚନା ଦେଇଥିଲେ । ସେ ଶିଶୁ ଯତ୍ନ ଅବକାଶ (ସିସିଏଲ) ବିଷୟରେ ସୂଚନା ଦେଇଥିଲେ । ଏହି ଛୁଟି ଦିନକୁ ୭୩୦ ଦିନ ପର୍ୟ୍ୟନ୍ତ ଜାରି ରଖିବାକୁ ମଞ୍ଜୁର କରାଯାଇଛି । ସିସିଏଲ ପ୍ରଦାନ କରିବା ଲାଗି ସର୍ବନିମ୍ନ ବାଧ୍ୟତାମୂଳକ ଅବଧିକୁ ୧୫ ଦିନରୁ ୫ ଦିନକୁ କମାଇ ଦିଆଯାଇଛି । ୧ ଜୁଲାଇ ୨୦୨୨ ଠାରୁ ଦିବ୍ୟାଙ୍ଗ ଶିଶୁଙ୍କ ମା’ ହୋଇଥିବା ମହିଳା ସରକାରୀ କର୍ମଚାରୀଙ୍କୁ ମାସିକ ୩ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉଛି ।
ସେହିପରି ନିଖୋଜ କର୍ମଚାରୀଙ୍କ ପରିବାର ଏବେ ଏଫଆଇଆର ଦାଖଲ କରିବାର ୬ ମାସ ମଧ୍ୟରେ ପାରିବାରିକ ପେନସନ ପାଇପାରିବେ ଏବଂ ସେମାନଙ୍କୁ ଆଉ ୭ ବର୍ଷ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ପ୍ରଶାସନିକ କ୍ଷେତ୍ରରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସମ୍ପର୍କରେ ଡକ୍ଟର ସିଂ କହିଥିଲେ ଯେ ସ୍ୱଚ୍ଛ ଓ ପ୍ରଭାବଶାଳୀ ସରକାରଙ୍କ ପରିଚୟ ହେଉଛି ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା । ବିଭିନ୍ନ ସରକାରୀ ବିଭାଗରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଦ୍ରୁତ କରିବା ଲାଗି ୧୦ ସୂତ୍ରୀ ସିପିଗ୍ରାମ୍‌ସ୍‌ ସଂସ୍କାର କାର୍ୟ୍ୟକାରୀ କରାଯାଇଛି ଫଳରେ ସାପ୍ତାହିକ ସମାଧାନ ହାର ୯୫ରୁ ୧୦୦ପ୍ରତିଶତକୁ ବୃଦ୍ଧି ପାଇଛି ।
ସ୍ୱଚ୍ଛା ୧.୦ ଏବଂ ୨.୦ ଅଭିଯାନ ଅନ୍ତର୍ଗତ ଇଲେକ୍ଟ୍ରୋନିକ୍ସ ସ୍କ୍ରାପ୍‌ ଓ କାର୍ୟ୍ୟାଳୟ ସ୍କ୍ରାପ ବିକ୍ରି କରାଯାଇ ୩୭୦.୮୩ କୋଟି ଟଙ୍କାର ରାଜସ୍ୱ ଆୟ ହୋଇଛି । ଏହାଦ୍ୱାରା ୮୯.୮୫ ଲକ୍ଷ ବର୍ଗଫୁଟ୍‌ କାର୍ୟ୍ୟାଳୟ ପରିସର ଖାଲି ହୋଇପାରିଛି ।
ଡିଜିଟାଲ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ୭୫ଟି ବିଭାଗ ଓ ମନ୍ତ୍ରଣାଳୟରେ ଇ-ଅଫିସ ଭର୍ସନ ୭.୦ କାର୍ୟ୍ୟକାରୀ କରାଯାଇଛି । ଜାତୀୟ ରୋଜଗାର ମେଳା ଜରିଆରେ ଅଭିନବ ପରିବର୍ତ୍ତନ ଅଣାଯାଇଛି । ତଳୁ ଉପର ପର୍ୟ୍ୟନ୍ତ ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ଅଧିକ ଦୃଢ଼ କ୍ଷମତା ବିକାଶ ଓ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତିର ଅଧିକ ବ୍ୟବହାର ଏବଂ ମନ୍ତ୍ରଣାଳୟ ପାଇଁ ଆଗକୁ ବଢ଼ିବା ଲାଗି ମୁକ୍ତ ବିଚାର ବିନିମୟ ନିମନ୍ତେ ନିୟମିତ “ଚିନ୍ତନ ଶିବିର” ଆୟୋଜନ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ସିଂ ସୂଚନା ଦେଇଥିଲେ ।

Leave A Reply

Your email address will not be published.