jayashree

ରୁଗୁଡିପାଲି ଗାଁରେ ବାଏପାସ ରାସ୍ତାନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଭେଟିଲେ ମହୋତ୍ସବ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅଞ୍ଚଳର ପର୍ଯ୍ୟଟନସ୍ଥଳି ଭୀମପାହାଡ ଏବଂ ଚାନ୍ଦଲିର ବିଭିନ୍ନ ଉନ୍ନୟନକାମ ତଥା ଅନ୍ୟାନ୍ୟ ସମସ୍ୟା ବିଷୟରେ ଦେଓଗାଁ ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନଙ୍କୁ ଭେଟି ଆଲୋଚନା କରିବା ସହିତ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲାର ଭୀମପାହାଡ ପର୍ଯ୍ୟଟନସ୍ଥଳୀକୁ ପୂର୍ତ୍ତବିଭାଗ ରୋଡରୁ ରୁଗୁଡିପାଲି ଦେଇ ଯେଉଁ ଆର୍‌ଡି ରାସ୍ତା ଯାଇଛି ତାହା ଗ୍ରାମ ଭିତର ଦେଇଯାଇଛି । ଗ୍ରାମ ଭିତରେ ଏହା ସରୁ ଏବଂ ଅଙ୍କାବଙ୍କା ହୋଇଯାଇଛି । ଫଳରେ ପର୍ଯ୍ୟଟକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି । ତେଣୁ ରୁଗୁଡିପାଲି ଗାଁ ବାହାରେ ଏକ ବାଏପାସ ରାସ୍ତା ନିର୍ମାଣ କରିବାକୁ ଦାବୀ ହେଉଛି । ଏନେଇ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏହି ଦାବୀପତ୍ରରେ ରୁଗୁଡିପାଲି ବାଏପାସ ସମେତ ଭୀମଡୁଙ୍ଗୁରୀ ପାହାଡ ତଳରୁ ଭୀମକଟା ପର୍ଯ୍ୟନ୍ତ ଯାଇଥିବା ରାସ୍ତାନିର୍ମାଣ କରିବାକୁ ଦାବୀ କରାଯାଇଛି । ଏହି ରାସ୍ତା ହେଲେ ପାର୍କ, କାଫେ ତଥା ଭୀମକଟାର ବୋଟିଂ ସ୍ଥଳକୁ ପର୍ଯ୍ୟଟକମାନେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି କୁହାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରତିଶୃତି ଦେଇଥିବା ମହୋତ୍ସବ କମିଟି କହିଛନ୍ତି । ସେହିପରି ଭୀମପାହାଡର ଅନ୍ୟାନ୍ୟ ଉନ୍ନୟନକାମ ଓ ଚାନ୍ଦଲିଠାରେ ଥିବା ମେହେରକଟାର ପୁନଃ ଉଦ୍ଧାର କରାଇବା ତଥା ସାଲେପାଲି ଗ୍ରାମ ପଞ୍ଚାୟତର ନୂତନ ପଞ୍ଚାୟତଗୃହ ନିର୍ମାଣ ପାଇଁ ଅନୁଦାନ ଦାବୀ କରି ପରିବେଶ ଓ ଜଙ୍ଗଲ ବିଭାଗ ତଥା ପଞ୍ଚାୟତ ଓ ଗ୍ରାମ୍ୟ ପାନୀୟଜଳ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିଛନ୍ତି । ଠିକ୍‌ ସେହିପରି ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ଏଠିକାର ଐତିହ୍ୟବହନ କରୁଥିବା ସହିଦ ଧରମସିଂ ମାଝୀ ମାନଧାତାଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ସହିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଭାରତୀୟ ସ୍ୱାଧିନତା ସଂଗ୍ରାମର ବହୁ ପୂର୍ବରୁ ଘୁମୁସର, କଳାହାଣ୍ଡି ଓ ପାଟଣା ଅଞ୍ଚଳରେ କନ୍ଧମେଳି ହୋଇଥିଲା । ସେହି ସମୟରେ ଏହି କନ୍ଧମେଳିରେ ଘୁମୁସରର ଚକୋରା ବିଶୋଇ, ଉର୍ଲାଦାନୀର ରେଣ୍ଡୋ ମାଝୀ ଓ ଆଟଗାଁ ଜମିଦାର ଧରମସିଂ ମାଝୀ ମାନଧାତା ନେତୃତ୍ୱ ନେଇଥିଲେ । ଐତିହ୍ୟପୂର୍ଣ୍ଣ ଭୀମପାହାଡର ଗୁମ୍ଫା ଥିଲା ଏମାନଙ୍କର ଆଶ୍ରୟସ୍ଥଳି । ଅନେକ ସ୍ଥାନରେ ଚକୋରା ବିଶୋଇ, ରେଣ୍ଡୋ ମାଝୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇ ସାରିଥିବା ବେଳେ କୌଣସି ସ୍ଥାନରେ ଧରସିଂ ମାଝୀ ମାନଧାତାଙ୍କର ପ୍ରତିମୂର୍ତ୍ତି ବସିପାରିନାହିଁ । ତେଣୁ ଧରସିଂ ମାଝୀ ମାନଧାତାଙ୍କ ସ୍ମୃତିରକ୍ଷା ପାଇଁ ପର୍ଯ୍ୟଟନସ୍ଥଳୀ ଭୀମପାହାଡଠାରେ ତାଙ୍କର ପୂର୍ଣ୍ଣାବୟବ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବହୁଦିନରୁ ଦାବୀ ହୋଇଆସୁଛି । ଏଦିଗରେ ସରକାର ପଦକ୍ଷେପ ନେବେ ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ମଧ୍ୟ ପ୍ରତୃଶୃତି ଦେଇଥିବା ମହୋତ୍ସବ କମିଟି ସୂଚନା ଦେଇଛି । ମହୋତ୍ସବ କମିଟିର ଏହି ପ୍ରତିନିଧିଦଳରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, କମିଟିର ସଭାପତି ପ୍ରମୋଦ ବହିଦାର, ଦେଓଗାଁ ବ୍ଲକର ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ଓ ମକୁନ୍ଦପୁର ସମିତି ସଭ୍ୟ ଅଭିମନ୍ୟୁ ମାଝୀ ସାମିଲ ଥିଲେ ।

Leave A Reply

Your email address will not be published.