ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳିତ

  • ରେଡକ୍ରସକୁ ଆହୁରି କ୍ରିୟାଶୀଳ କରିବାକୁ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖା ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗତକାଲି ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳନ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ ଓ ରେଡକ୍ରସ ଦିବସର ଶପଥ ପାଠ କରାଇଥିଲେ । ପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାରଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଉଦ୍‌ଘାଟନ କରିବା ସହ ନିଜେ ପ୍ରଥମେ ରକ୍ତଦାନ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ମଧ୍ୟ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଧିକ୍ଷକ ଡ଼. ମାନସୀ ପଣ୍ଡା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ମେଡିକାଲ ଅଧିକ୍ଷକ ଡ଼. ପ୍ରଭାତ କୁମାର ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖାର ସମ୍ପାଦକ ଶୁଭସ୍ମିତା ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ । ପରେ ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳନ ଉପଲକ୍ଷେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସର ପ୍ରତିଷ୍ଠାତା ଜନ ହେନେରୀ ଡୁନାଣ୍ଟଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଚେତନତା ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ଧରୁଆ ରେଡକ୍ରସ ମାନବ ସେବା ପାଇଁ ଉତ୍ସର୍ଗୀକୃତ ଏବଂ ରେଡକ୍ରସ ସ୍ଵେଚ୍ଛାସେବୀମାନେ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ଇତ୍ୟାଦି ସମୟରେ ସ୍ଵେଚ୍ଛାକୃତ ଭାବେ ମାନବ ସେବାରେ ନିଜକୁ ନିଃସ୍ଵାର୍ଥପର ଭାବେ ନିଯୋଜିତ କରିଥାନ୍ତି । ଜିଲ୍ଲାରେ ରେଡକ୍ରସକୁ ଆହୁରି କ୍ରିୟାଶୀଳ କରିବାକୁ ସେ ଗୁରୁତ୍ଵାରୋପ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ଵ ରେଡକ୍ରସ ଦିବସ ପାଳନର ତାତ୍ପର୍ଯ୍ୟ, ପୃଷ୍ଠଭୂମି ଓ ରେଡକ୍ରସର ୭ ଗୋଟି ସିଦ୍ଦାନ୍ତ ସମ୍ପର୍କରେ ଆଲୋଚନା କରିବା ସହ ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ବୃଦ୍ଧି କରିବା ଦିଗରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ସଭାରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖାର ସମ୍ପାଦକ ଶୁଭସ୍ମିତା ମିଶ୍ର ବିଶ୍ଵ ରେଡକ୍ରସ ଦିବସ ପାଳନର ତାତ୍ପର୍ଯ୍ୟ, ରେଡକ୍ରସର ପ୍ରତିଷ୍ଠାତା ଜନ ହେନେରୀ ଡୁନାଣ୍ଟଙ୍କ ସେବା ଓ ତ୍ୟାଗ ସମ୍ପର୍କରେ ଆଲୋକପାତ କରିବା ସହ ବଲାଙ୍ଗିର ଜିଲ୍ଲାରେ ରେଡକ୍ରସ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସହାୟତା ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ସଭାରେ ଦେଓଗାଁ ତହସିଲଦାର ଯୁଗଲ ବିଶ୍ଵାଳ, ୟୁଥ ରେଡକ୍ରସ ସଂଯୋଜକ ଡ଼. ଦୈତାରୀ ପୁଝାରୀ, ପାଟଣାଗଡ଼ର ଓକିଲ ଇନ୍ଦୁଭୂଷଣ ଠାକୁର, ରେଡକ୍ରସ ସ୍ଵେଚ୍ଛାସେବୀ ରାମ ନାରାୟଣ ଦାସ, ରବି ଚନ୍ଦ୍ର ପଶାୟତ, ଦିବ୍ୟସ୍ମିତା ସାହୁ ରେଡକ୍ରସ ଦିବସର ତାତ୍ପର୍ଯ୍ୟ ତଥା ରେଡକ୍ରସ ସ୍ଵେଚ୍ଛାସେବୀମାନଙ୍କ ଭୂମିକା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ୨୦୨୨-୨୩ ଆର୍ଥିକ ବର୍ଷରେ ରେଡକ୍ରସ ପାଣ୍ଠି ବୃଦ୍ଧି ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା କାର୍ଯ୍ୟାଳୟ ଅନ୍ତର୍ଗତ ନ୍ୟାୟିକ ବିଭାଗକୁ ଅତିଥିମାନେ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ରକ୍ତଦାତାମାନଙ୍କୁ ସଭାରେ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖାର ସମ୍ପାଦକ ଶୁଭସ୍ମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ରେଡକ୍ରସ ସ୍ଵେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.