
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାରତୀୟ ଜନତା ପାର୍ଟିର ଅପ୍ରେଲ ୩୦ ତାରିଖ ହେବାକୁ ଥିବା ୧୦୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଫାର୍ମ ହାଉସରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ବିଭିନ୍ନ ମଣ୍ଡଳରୁ ଶତାଧିକ ଭାଜପା କର୍ମୀ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମଟି କିପରି ସଫଳ ହେବ ସେ ନେଇ ବିଭିନ୍ନ ମଣ୍ଡଳରୁ ଆସିଥିବା ସଭାପତି, ସଂପାଦକ ଏବଂ ସଂଯୋଜକମାନେ ନିଜ ନିଜର ମତାମତ ରଖିଥିଲେ । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ଲକ୍ଷ୍ମଣ ବାଗ (ମୁଖ୍ୟ ଅତିଥି), ଜିଲ୍ଲା ସଂଯୋଜକ ଶ୍ରୀବତ୍ସ ବେହେରା (ସମ୍ମାନିତ ଅତିଥି), ସହ ସଂଯୋଜକ ଅନିଲ ନାୟକ, ସିନ୍ଧେକେଲା ଜିଲ୍ଲା ପରିଷଦ ସଭ୍ୟ ଦାମ ସୁନା, ମଣ୍ଡଳ ସଭାପତି ଯୁଧିଷ୍ଠିର ଜାଲ, ହରିଶ୍ଚନ୍ଦ୍ର ସାହୁ, ସୁରେଶ ଭୋଇ, ମୁନିରାମ ନାଗ, ମହାଦେବ ଟାହାଣି, ଈଶ୍ୱର ପୁଟେଲ, କଂଟାବାଂଜି ନଗର ସଭାପତି ବେଦବ୍ୟାସ ନାଗ (ବିଶିଷ୍ଟ ଅତିଥି) ମଂଚାସୀନ ଥିଲେ । କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୦୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ସଫଳ କରିବାରେ ସମସ୍ତ ମଣ୍ଡଳ ସଭାପତି ଏବଂ କର୍ମକର୍ତ୍ତାଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ପ୍ରସ୍ତୁତି ବୈଠକରେ ଜିଲ୍ଲା ସଂଯୋଜକ ଶ୍ରୀ ବେହେରା ନିଜର ମତବ୍ୟକ୍ତ କରିଥିଲେ ।