ଆଜି ନୀଳାଦ୍ରି ମହୋତ୍ସବ : ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି

ପୁରୀ : ଶୁକ୍ରବାର ବୈଶାଖ ଶୁକ୍ଲ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଯଜ୍ଞମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ । ଏଣୁ ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ଜଳାଭିଷେକ ହେବ । ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ । ଏଣୁ ଗୁରୁବାର ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଛି ।

ଗୁରୁବାର ସପ୍ତମୀ ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇ ରହିଛି । ଅଷ୍ଟମୀରେ ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିବ । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନସିଂହାସନ ନିକଟରେ ବିଜେ କରିବେ । ଏହାପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏ । ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.