ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଓଡିଶା ସରକାରୀ ଆଉଟସୋର୍ସିଂ ୟୁନିୟନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସାର୍କିଟ ହାଉସଠାରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଭେଟି ଓଡିଶା ସରକାରୀ ଆଉଟସୋର୍ସିଂ ୟୁନିୟନ, ବଲାଙ୍ଗିର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଂଗଠନର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହାରି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଉଟସୋର୍ସିଂ ପ୍ରଥାକୁ ଶୀଘ୍ର ଉଚ୍ଛେଦ କରିବାକୁ ନିବେଦନ କରାଯାଇଛି । ପୂର୍ବରୁ ଦୁଇ ଥର ଭୁବନେଶ୍ୱର ପିଏମଜି ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇ ନିଜ ନ୍ୟାର୍ଯ୍ୟ ଦାବୀ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏ ସମସ୍ୟାକୁ ନେଇ ଆଉଟସୋର୍ସିଂ ୟୁନିୟନର ରାଜ୍ୟସ୍ତରୀୟ ପ୍ରତିନିଧି ମଧ୍ୟ ସରକାରଙ୍କ ସହ ବହୁ ଥର ଆଲୋଚନା କରିଛନ୍ତି । ସରକାର ଶୀଘ୍ର ଏ ଦିଗରେ କିଛି ସକାରାତ୍ମକ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜଣାଇଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଜିଲ୍ଲା ଶାଖାର ସଦସ୍ୟମାନେ ସାକ୍ଷାତ କରିଥିଲେ । ଆଉଟସୋର୍ସିଂ ଭଳି ଏକ ଅମାନବୀୟ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ନେଇ ସେମାନେ ସାଂସଦଙ୍କୁ ଜଣାଇଥିଲେ । ଦଶନ୍ଧିରୁ ଅଧିକ ସମୟ ଧରି ସରକାରଙ୍କ ବିଭିନ୍ନ ବିଭାଗରେ ସମର୍ପିତ ଭାବେ ଅତି ସ୍ୱଳ୍ପ ଦରମାରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀ ବେଶ୍‌ ଶୋଷଣର ଶିକାର ହେଉଛନ୍ତି । ସମାନ କାମକୁ ସମାନ ଦରମା ଓ ମଧ୍ୟସ୍ଥିଙ୍କ ଉଚ୍ଛେଦ କରିବା ନେଇ ସମର୍ଥନ କରନ୍ତୁ ବୋଲି ସେମାନେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଶ୍ରୀମତୀ ସିଂହଦେଓ ଆଉଟସୋର୍ସିଂ ଏକ ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ବୋଲି ସ୍ୱୀକାର କରିବା ସହ ଦଳୀୟ ପରାମର୍ଶ ପରେ ଯଥାସମ୍ଭବ ସହଯୋଗ ମଣିବେ ବୋଲି କହିଥିଲେ । ଜିଲ୍ଲା ଆଉଟସୋର୍ସିଂ ୟୁନିୟନ ସଭାପତି ରାଜେଶ ଝାଙ୍କର, ସମ୍ପାଦକ ଚଞ୍ଚଞ୍ଚଳ ମିଶ୍ର, ଉପସଭାପତି ଦିଲିପ ସାହୁ, କୋଷାଧ୍ୟକ୍ଷ ସତ୍ୟାନନ୍ଦ ସେଠ, ରଶ୍ମି ରଂଜନ ମିଶ୍ର, ଅଭିଳାଷ ମିଶ୍ର, ମନୋଜ ବେହେରା, ସରୋଜ ଦେହେରୀ, ଲକ୍ଷ୍ମଣ ସାହୁ, ବିଜୟ ମିଶ୍ର ଓ ଉମେଶ ବାଗ ପ୍ରମୁଖ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.