‘ଆମ ରାଉରକେଲା’ ଉପରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନନ୍ତ ଉଦୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଉରକେଲାର ସିଭିକ ସେଣ୍ଟରଠାରେ ‘ଆମ ରାଉରକେଲା’ ଉପରେ ଆଲୋଚନାଚକ୍ର, ବକ୍ତୃତା, ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସୋପାନରେ ‘ଆମ ରାଉରକେଲା’ ଉପରେ ଏକ ଆଲୋଚନାଚକ୍ର କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ ଯୋଗଦେଇ ଆମ ରାଉରକେଲାକୁ ନେଇ ଗର୍ବ ଅନୁଭବ କରିବା ସହିତ ରାଉରକେଲା ବର୍ତ୍ତମାନ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଡେପୁଟି କମିଶନର ସୁଧାଂଶୁ ଭୋଇ, ଆରସିସିଆଇ ସଭାପତି ଶୁଭ ପଟ୍ଟନାୟକ, ଅଧିକ୍ଷଣ ଯନ୍ତ୍ରୀ ମନୋଜ ମହାନନ୍ଦ, ରାଉରକେଲା ସମବାୟ ବ୍ୟାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର, ସମାଜସେବୀ ମୀରା ପରିଡା ପ୍ରମୁଖ ଯୋଗଦେଇ ରାଉରକେଲା ସହର ଉନ୍ନତିକରଣ କରିବାରେ ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କ ସଂପର୍କରେ ଏବଂ କେତେ ଉନ୍ନତି ହୋଇଛି ତାହା ଆଲୋକପାତ କରିବା ସହିତ ଅନୁଷ୍ଠାନ ଲୋକାଭିମୁଖୀ କାର୍ଯ୍ୟ କରୁଥିବାରୁ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଭୁୟସୀ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର କାମନା କରିଥିଲେ ।

ଦ୍ୱିତୀୟ ସୋପାନରେ ମହିଳା ସଶକ୍ତିକରଣ ଏବଂ ସାମାଜିକ ମୂଲ୍ୟବୋଧ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସନ୍ଧ୍ୟରାଣୀ ପତି, ନଳିନୀ ପଟ୍ଟନାୟକ, ନିହାରିକା ବସ୍ତିଆ, ସୁମନ ଜଲବାନିଆ, ପଦ୍ମିନୀ ପାଣିଗ୍ରାହୀ, ରଶ୍ମିବାଳା ମିଶ୍ର ପ୍ରମୁଖ ବିଶିଷ୍ଠ ମହିଳା ବ୍ୟକ୍ତିମାନେ ଭାଗ ନେଇ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ବର୍ତ୍ତମାନ ମହିଳା ସ୍ୱାବଲମ୍ବୀ ଏବଂ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ବୋଲି ମତବ୍ୟକ୍ତ କରିଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷା ରାଜଲକ୍ଷ୍ମୀ ପାତ୍ର ଅତିଥି ପରିଚୟ ପ୍ରଦାନ କରି ଅନୁଷ୍ଠାନର ବିଭିନ୍ନ ଜନମଙ୍ଗଳାକାରୀ କରିଥିବା କାର୍ଯ୍ୟ ସମ୍ପର୍କରେ ଏବଂ ବାର୍ଷିକ ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଏବଂ ରଚନା ପ୍ରତିଯୋଗିତାରେ ଭାଗ ନେଇଥିବା ସ୍କୁଲ, କଲେଜର କୃତି ପ୍ରତିଯୋଗୀଙ୍କୁ ଏବଂ ରାଉରକେଲାର ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଡ଼. ପୂଜା ପତି, ଯନ୍ତ୍ରୀ ସଞ୍ଜିତ ବେହେରା, କଳାକାର ପୁଷ୍କକ ରାଉତ ପ୍ରମୁଖ ସଂଯୋଜନା କରିଥିଲେ ।

Leave A Reply

Your email address will not be published.